ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଡା. ଅଭିନ୍ନ ଚନ୍ଦ୍ର ହୋମିଓପାଥକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ନିରଞ୍ଜନ ମହାନ୍ତିଙ୍କୁ ଲିଭିଙ୍ଗ୍ ଲିଜେଣ୍ଡ ଆୱାର୍ଡରେ ସମ୍ମାନିତ କରାଯାଇଛି । ହାଇଦ୍ରାବାଦଠାରେ ଆଇଆଇଏଚପି ଓ ତେଲେଙ୍ଗାନାର ସମସ୍ତ ହୋମିଓପାଥକ ମେଡିକାଲ୍ କଲେଜର ମିଳିତ ଆନୁକୂଲ୍ୟରେ ଏକ ଆନ୍ତର୍ଜାତୀୟ ହୋମିଓପାଥକ ସମ୍ମିଳନୀରେ ପ୍ରଫେସର ଡାକ୍ତର ମହାନ୍ତିଙ୍କୁ ସମ୍ମାନିତ କରାଯାଇଛି । ଏହି ସମ୍ମିଳନୀରେ ଦେଶ ବିଦେଶରୁ ବିଶିଷ୍ଟ ଡାକ୍ତରମାନେ ଯୋଗଦାନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ସନ୍ଦର୍ଭ “ ଅଟୋ ଇମ୍ୟୁଡିଜଡର୍ସ ଇନ୍ ହୋମିଓପାଥ ଉଇଥ୍ ସ୍ପେସିଆଲ୍ ରେଫରେନ୍ସ ଟୁ ସୋରିଆସିସ୍” ଶୀର୍ଷକ ଆଲୋଚନାଚକ୍ରରେ ଡାକ୍ତର ମହାନ୍ତି ଆଲୋକପାତ କରି ବେଶ୍ ଆଦୃତ ହୋଇଛନ୍ତି । ସେ ନିଜ ଜୀବନକାଳରେ ୧୬ବର୍ଷ ଉପସ୍ନାତକୋତ୍ତର ପ୍ରଧାନ ଅଂଶ ଓ ରିପୋଟୋରି ବିଭାଗର ଅଧ୍ୟାପକ ରୂପେ କାର୍ଯ୍ୟ କରୁଥିଲେ । ସେ ଦୀର୍ଘ ୪୫ବର୍ଷ ଧରି ଚିକିତ୍ସା ଓ ଅଧ୍ୟାପନା ସହିତ ବହୁମୂଲ୍ୟବାନ ପାଠ୍ୟପୁସ୍ତକ ଲେଖୁ ହୋମିଓପାଥକ ଚିକିତ୍ସା ଜଗତକୁ ନୂତନ ଆଲୋକ ଦେଖାଇବା ସହିତ ରାଜ୍ୟ ଓ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି । ଏହି ଜାତୀୟ ଓ ଆନ୍ତର୍ଜାତୀୟ ହୋମିଓପାଥ୍ ସମ୍ମିଳନୀରେ ଯୋଗଦାନ ସହିତ ବିଭିନ୍ନ ପ୍ରମାଣଭିଭିକ ସଫଳତା ଉପସ୍ଥାପନା କରିବା ସହିତ ବିଶ୍ଵଦରବାରରେ ହୋମିଓପାଥର ଉପଯୋଗିତାକୁ ପରିଚିତ କରାଇପାରିଛନ୍ତି । ୧୯୭୫ ମସିହାଠାରୁ ଆଜି ପର୍ଯ୍ୟନ୍ତ ନିଜକୁ ଦିନରାତି ଧନୀ ଓ ଗରିବଙ୍କୁ ନିର୍ବିଶେଷରେ ନିଜକୁ ଡାକ୍ତରୀ ସେବାରେ ନିୟୋଜିତ କରିଆସୁଛନ୍ତି । ବର୍ତ୍ତମାନ ଦେଶର ବିଭିନ୍ନ କୋଣରୁ ପୁରାତନ ଓ ଅସାଧ୍ୟ ରୋଗୀ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଛନ୍ତି ।