SunstarTV
କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସ ଏକ ବଡ ଅଭିଯୋଗ ଆଣିଛି। ଦଳ କହିଛି ଯେ କଂଗ୍ରେସ ଏବଂ ଯୁବ କଂଗ୍ରେସର ସମସ୍ତ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଅଜୟ ମାକେନ୍ ଏହି ସୂଚନା ଦେଇଛନ୍ତି।
ଅଜୟ ମାକେନ୍ କହିଛନ୍ତି, ‘କଂଗ୍ରେସ ଦଳର ସମସ୍ତ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି। ଆମ ଦେଶରେ ଏ କଣ ଚାଲିଛି ଏବେ କିସାନ ଆନ୍ଦୋଳନ ଚାଲି ଥିବା ବେଳେ ଆମ ଦେଶରେ ଗଣତନ୍ତ୍ର ମଧ୍ୟ ଫ୍ରିଜ଼ ହୋଇଯାଇଛି। ନିର୍ବାଚନ ତାରିଖ ଘୋଷଣା ପାଇଁ ଆଉ ମାତ୍ର ସପ୍ତାହ ବାକି ଅଛି। ଏହି ସମୟରେ ସରକାର ଏହି ପଦକ୍ଷେପ ନେଇ କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି? ଦେଶର ପ୍ରମୁଖ ଦଳର ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି। ଆୟକର ବିଭାଗ ୨୧୦ କୋଟି ଟଙ୍କା ରିକାଭରି ପାଇଁ ଦାବି କରିଛି।
କଂଗ୍ରେସ ନେତା ଆହୁରି କହିଛନ୍ତି ଯେ ୨୦୧୮ରେ ଆୟକର ରିଟର୍ଣ୍ଣ ଆଧାରରେ କୋଟି କୋଟି ଟଙ୍କା ଦାବି କରାଯାଉଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଏହା ଗଣତନ୍ତ୍ରର ହତ୍ୟା ସଦୃଶ। ଲୋକସଭା ନିର୍ବାଚନ ପୂର୍ବରୁ ଆମର ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି। କଂଗ୍ରେସ ପାର୍ଟି ସଦସ୍ୟତା ଡ୍ରାଇଭ୍ ମାଧ୍ୟମରେ ଯୁବ କଂଗ୍ରେସରୁ ଟଙ୍କା ସଂଗ୍ରହ କରୁଛନ୍ତି ଏବଂ ସେଗୁଡିକ ମଧ୍ୟ ଫ୍ରିଜ୍ ହୋଇଯାଇଛି ।
ସୂଚନା ମୁତାବକ ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡକୁ ନେଇ ଏକ ବଡ ନିଷ୍ପତ୍ତି ନେଇଥିଲେ। ଅସାମ୍ବିଧାନିକ ବୋଲି କହି ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡର ବୈଧତାକୁ ବାତିଲ କରି ଦେଇଛନ୍ତି। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏହା ସୂଚନା ଅଧିକାରର ଉଲ୍ଲଂଘନ କରୁଛି। ତେଣୁ ନିର୍ବାଚନ ବଣ୍ଡକୁ ବୈଧ ବୋଲି ବିବେଚନା କରାଯାଇପାରିବ ନାହିଁ । କେବଳ ଏତିକି ନୁହେଁ, କୋର୍ଟ ବର୍ତ୍ତମାନ ନିର୍ବାଚନ ବଣ୍ଡ କ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ନିର୍ବାଚନ ଆୟୋଗଙ୍କୁ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ଏସବିଆଇକୁ କହିଛନ୍ତି। ସବିଶେଷ ତଥ୍ୟ ସାର୍ବଜନୀନ କରିବାକୁ କୋର୍ଟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।