Pakistan general elections: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ । ଏଥିପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ନିର୍ବାଚନରେ ନୱାଜ ଶରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍(ଏନ୍) ଏବଂ ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିବ।
ନୱାଜ ଶରିଫ୍ ପ୍ରଧାନମନ୍ତ୍ରୀ ଦୌଡ଼ରେ ଲିଡ୍ କରୁଛନ୍ତି ଏବଂ ସେ ୪ର୍ଥ ଥର ପାଇଁ କ୍ଷମତାକୁ ଆସିବା ନେଇ ଚର୍ଚ୍ଚା ହେଉଛି । ଏହି ନିର୍ବାଚନରେ ୧୨.୮୫ କୋଟିରୁ ଉର୍ଦ୍ଧ୍ୱ ପଞ୍ଜିକୃତ ଭୋଟର ଅଛନ୍ତି । ପାକିସ୍ତାନ ନିର୍ବାଚନ ଆୟେଗ ଅନୁଯାୟୀ ଦେଶରୁ ୫, ୧୨୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ।
ମତଦାନ ସନ୍ଧ୍ୟା ୫ଟାରେ ଶେଷ ହେବ । ତେବେ ମତଦାନ ସମୟରେ କୌଣସି ପ୍ରକାର ହିଂସା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୬ ଲକ୍ଷରୁ ଉର୍ଦ୍ଧ୍ୱ ପୋଲିସ ଓ ସେନା ବାହିନୀମାନଙ୍କୁ ମୁତୟନ କରାଯାଇଛି । ଏହା ସହ ଆଫଗାନିସ୍ତାନ ଏବଂ ଇରାନ ସହ ଦେଶର ସୀମାକୁ ସିଲ କରିଦିଆଯାଇଛି ।
ପୋଲିଂ ଅଧିକାରୀଙ୍କ ତତ୍ୱବଧାନରେ ୯୦ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ ସାମଗ୍ରୀ ବିତରଣ କରାଯାଇଛି । ତେବେ ମତଦାନକୁ ଦୃଷ୍ଟିରେ ରଖି ଦେଶରେ ସାର୍ବଜନିକ ଛୁଟି ଘୋଷଣା କରାଯାଇଛି ।
ପାକିସ୍ତାନ ମୁସଲିମ ଲିଗ୍(ଏନ୍)ର ପ୍ରମୁଖ ୭୪ ବର୍ଷୀୟ ନୱାଜ ଶରିଫ ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ଅଛନ୍ତି । ଭାରତ ସହ ସମ୍ପର୍କ ସୁଧାରିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିବାବେଳେ ଦଳର ଘୋଷଣା ପତ୍ର ଭାରତକୁ ‘ଶାନ୍ତି ବାର୍ତ୍ତା’ ଦେବାର ପ୍ରତିଶୃତି ଦେଇଛି । କିନ୍ତୁ ଗୋଟିଏ ସର୍ତ୍ତରେ କି ଭାରତକୁ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ଫେରାଇବାକୁ ପଡ଼ିବ ।
ଅପରପକ୍ଷରେ ୩୫ ବର୍ଷୀୟ ବିଲାୱଲ ଭୁଟ୍ଟୋ ହେଉଛନ୍ତି ଜଣେ ରାଜବଂଶୀୟ । ପିପିପି ପକ୍ଷରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଦୌଡ଼ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି ।