ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଉତ୍କଳ ବିଶ୍ଵବିଦ୍ୟାଳୟ ୨୦୦୮-୧୦ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ବିଶ୍ବବିଦ୍ୟାଳୟ ପରିସରରେ ଥିବା ଏମ୍ସିଜି ଅଡିଟୋରିୟମ୍ରେ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ରଛାତ୍ରୀ ପ୍ଲାଷ୍ଟିକ୍ ମୁକ୍ତ ବିଶ୍ଵବିଦ୍ୟାଳୟ ଗଠନ ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ । ଏହି ଅବସରରେ ପୁରାତନ ବନ୍ଧୁମାନେ ‘ଗ୍ରୀନ୍ ଗେଟ୍ ଟୁଗେଦର’ କରିଥିଲେ । କୌଣସି ପ୍ରକାର ପ୍ଲାଷ୍ଟିକ୍ ନିର୍ମିତ ବସ୍ତୁ ବ୍ୟବହାର କରାଯାଇନଥିଲା । ପରସ୍ପର ମଧ୍ୟରେ ଚାରା ଆଦାନ ପ୍ରଦାନ ହୋଇଥିଲା । ପ୍ରାରମ୍ଭରେ ପୁରାତନ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଥିବା ମା’ ସରସ୍ଵତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ଆୟୋଜିତ ସଭାରେ ପୁରାତନ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ବିଶ୍ଵବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ ୨୦୦୮-୧୦ ବ୍ୟାଚ୍ର ଛାତ୍ର ତଥା ବର୍ତ୍ତମାନର ବିଶିଷ୍ଟ ଧର୍ମଗୁରୁ ବାବାଜୀ ଅମୃତାନନ୍ଦ ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ଜୀବନକୁ ସତ୍ ମାର୍ଗରେ ଆଗେଇ ନେବାକୁ ଅନେକ ମହତ ଉପଦେଶ ପ୍ରଦାନ କରିଥିଲେ । ଆଗାମୀ ଦିନରେ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ସଙ୍ଗଠନକୁ ପଞ୍ଜିକୃତ କରିବା ସହିତ ଅଗାମୀ ଦିନରେ ଏକ ପତ୍ରିକା ପ୍ରକାଶ କରିବା ଦିଗରେ ପଦକ୍ଷେପ ନେବାକୁ ବିଶ୍ଵବିଦ୍ୟାଳୟ ଛାତ୍ରସଂସଦର ପୂର୍ବତନ ସଭାପତି ତଥା ଉଚ୍ଚ ଶିକ୍ଷା ବିଭାଗ ଉପଦେଷ୍ଟା ଡଃ ତନ୍ମୟ ସ୍ଵାଇଁ ପ୍ରସ୍ତାବ ରଖିଥିଲେ । ଉପସ୍ଥିତ ବନ୍ଧୁମାନେ ଏହି ପ୍ରସ୍ତାବକୁ ଏକସ୍ଵରରେ ସମର୍ଥନ କରିଥିଲେ । ପ୍ରାୟ ୨ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଇ ଅତୀତର ସ୍ମୃତିକୁ ମନେପକାଇଥିଲେ । ନିଜ ନିଜର ପୁରୁଣା ସାଥିଙ୍କୁ ପାଇ ସେମାନେ ଭାବବିହ୍ବଳ ହୋଇପଡ଼ିଥିଲେ । ଶେଷରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଆସନ୍ତା ବର୍ଷ ୪ର୍ଥ ବନ୍ଧୁମିଳନକୁ ଧୁମ୍ଧାମ୍ରେ ଆୟୋଜନ କରିବା ପାଇଁ ବନ୍ଧୁମାନେ ପ୍ରସ୍ତାବ ରଖୁଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ସୁଜ୍ଞାନୀ ଦଳାଇ, ଇନ୍ଦ୍ରବାଦଲ ମହାନ୍ତି, ମନୋଜ ବିଶ୍ଵାଳ, ଦିଲୀପ ପାଣିଗ୍ରାହୀ, ଗୌରାଙ୍ଗ ପାଢୀ, ଜୟବ୍ରତ ଦାସ, ଦେବୀପ୍ରସାଦ ମହାନ୍ତି ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।