ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପୁରୁଣା ବର୍ଷକୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ୱାଗତ କରିବା ଲାଗି ଏବେଠୁ ଉତ୍ସବମୁଖର ପୁରୀ ସହର। ସମସ୍ତ ଦର୍ଶନୀୟ ସ୍ଥାନରେ ଜମିଲାଣି ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼। ହୋଟେଲ, ଲଜ୍, ଭକ୍ତନିବାସ, ହଲିଡେ’ ହୋମ୍ଗୁଡ଼ିକରେ ଆଉ ଜାଗା ନାହିଁ। ଜିରୋ-ନାଇଟ୍କୁ ସମସ୍ତଙ୍କ ଅପେକ୍ଷା।
ଅନ୍ୟପଟେ ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଶ୍ରୀମନ୍ଦିରରେ ନୂଆବର୍ଷ ଲାଗି ସ୍ୱତନ୍ତ୍ର ଭାବେ ନୀତିନିର୍ଘଣ୍ଟ ହୋଇଛି। ଆଜି ରାତିରେ ଶୀଘ୍ର ପହଡ଼ ପକାଇ ରାତି ୨ଟା ସୁଦ୍ଧା ଦ୍ୱାର ଫିଟାଯିବା ପାଇଁ ଯୋଜନା ରଖିଛି ମନ୍ଦିର ପ୍ରଶାସନ। ପବିତ୍ର ମହୋଦଧିରେ ସ୍ନାନ କରି ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଏବଂ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ପୁରୀରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ହେଲାଣି। ଏମିତି ଭାବନା ନେଇ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ବହୁ ସଂଖ୍ୟାରେ ଭକ୍ତ। ତେଣୁ ଭକ୍ତ ଏବଂ ପର୍ଯ୍ୟଟକଙ୍କ ନିରାପଦ ସ୍ନାନ ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ଶେଡ୍, ମୋବାଇଲ ଓ ଜୋତାଷ୍ଟାଣ୍ଡ୍, ପାନୀୟ ଜଳ, ଟଏଲେଟ୍ର ସୁବିଧା କରାଯାଇଛି।
୩୧ ଏବଂ ୧ ତାରିଖରେ ଶ୍ରୀମନ୍ଦିର ଭକ୍ତଙ୍କ ପ୍ରବଳ ଭିଡ଼ ହେବ। ଏହାକୁ ନଜରରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ନୀତିକାନ୍ତି ଲାଗି ପୂର୍ବରୁ ଛତିଶା ନିଯୋଗ ଏବଂ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି। ସେହିପରି ଭକ୍ତଙ୍କ ସମାଗମକୁ ନଜରରେ ରଖି ମହାପ୍ରସାଦ ପ୍ରସ୍ତୁତି ଲାଗି ସୁଆର ମହାସୁଆର ସେବାୟତଙ୍କ ସହ ଆଲୋଚନା କରାଯାଇଛି। ଆନନ୍ଦ ବଜାରରେ ଶେଡ୍ କରାଯାଇଛି। ସ୍ୱଚ୍ଛ ପରିବେଶ ଭିତରେ ଶ୍ରଦ୍ଧାଳୁମାନେ ବସି ମହାପ୍ରସାଦ ସେବନ କରିବା ସହ ନୂଆବର୍ଷରେ ନୂଆ ଅନୁଭୂତି ପାଇପାରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।