ସନ୍ଷ୍ଟାର ଟିଭି ବ୍ୟୁରୋ
କାକଟପୁର: ଆସନ୍ତା ୨୩ରେ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ଥିବାବେଳେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ମଙ୍ଗଳାଙ୍କ ମନ୍ଦିର ମଧ୍ୟ ୨୩ରେ ତାରିଖରେ ଖୋଲିବ । ଏହା ଜଣାପଡ଼ିବା ପରେ ଭକ୍ତଙ୍କ ମହଲରେ ଆନନ୍ଦ ଖେଳିଯାଇଛି । କରୋନା ମହାମାରୀ କାରଣରୁ ୯ ମାସ ଧରି ବନ୍ଦ ଥିବା ବିଭିନ୍ନ ମନ୍ଦିରଗୁଡ଼ିକୁ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନା ମୁତାବକ, ଭକ୍ତମାନେ ବ୍ୟାରିକେଡ୍ରେ ଧାଡ଼ି ବାନ୍ଧି ମା’ଙ୍କ ଦର୍ଶନ କରିବେ ।
ପୀଠରେ କୋଭିଡ୍ ନିୟମ କଡ଼ାକଡ଼ି ଭାବରେ ପାଳନ କରିବାକୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଚିଠି ମାଧ୍ୟମରେ ମଙ୍ଗଳା ମନ୍ଦିର ଟ୍ରଷ୍ଟ କାର୍ଯ୍ୟାଳୟର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୂଚନା ମିଳିଛି ଯେ, ଏକା ସାଙ୍ଗରେ ୧୦ ଜଣ ଭକ୍ତ ମନ୍ଦିରକୁ ପ୍ରବେଶ କରିପାରିବେ । ୬୦ ବର୍ଷରୁ ଅଧିକ ବୟସର ବୃଦ୍ଧ ଓ ବୃଦ୍ଧା ଏବଂ ୧୦ ବର୍ଷରୁ କମ୍ ଛୋଟ ପିଲାଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି । ଭକ୍ତମାନେ ଗର୍ଭଗୃହ ଭିତରକୁ ପ୍ରବେଶ ନ କରି ଶୀଘ୍ର ଦର୍ଶନ କରି ମନ୍ଦିର ଛାଡ଼ିବେ ବୋଲି ଉକ୍ତପତ୍ରରେ ନିର୍ଦ୍ଦେଶ ରହିଛି ।