ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଗଲା ହୀରାକୁଦରୁ ସ୍ବତନ୍ତ୍ର ଅଗର ମେସିନ। ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ। ଏହି ସ୍ବତନ୍ତ୍ର ଖନନ ମେସିନଟି ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାମ କରୁଥିବା ଏକ ଠିକା ସଂସ୍ଥାର। ମେସିନକୁ ହୀରାକୁଦରୁ ଟ୍ରେନରେ ରାୟପୁର ନିଆ ଯାଇଥିଲା। ସେଠାରୁ ଏକ ଟ୍ରଲିରେ ଗ୍ୱାଲିୟର ନିଆ ଯାଇଥିଲା। ଗ୍ୱାଲିୟରରୁ ବାୟୁସେନାର ବିମାନରେ ଉତ୍ତରକାଶୀକୁ ନିଆଯାଇଛି। ଏହାର ଓଜନ ହେଉଛି ୩୮୦ ଟନ। ତେଣୁ ଭାଗ ଭାଗ କରି ନିଆଯାଇଛି। ଉତ୍ତରକାଶୀରେ ପୁଣି ଆସେମ୍ବଲ୍ କରି କାମରେ ଲଗାଯିବ।
ଆଜି ଉଦ୍ଧାର ହୋଇପାରନ୍ତି ଉତ୍ତରାକାଶୀ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକ। ଉଦ୍ଧାର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏପର୍ଯ୍ୟନ୍ତ ପ୍ରାୟ ୪୭ ମିଟର ଖୋଳା ଗଲାଣି। ଗତକାଲି ଡ୍ରିଲିଂ ମେସିନ ଖରାପ ହୋଇଯିବାରୁ କାମ ବନ୍ଦ ଥିଲା। ଆଜି ତାକୁ ସଜଡ଼ା ଯାଇଛି। କିଛି ସମୟ ପରେ ପୁଣି ଆରମ୍ଭ କରାଯିବ ଡ୍ରିଲିଂ।
ଆଶା କରାଯାଉଛି, ଆଜି ହିଁ ଶ୍ରମିକମାନେ ଟନେଲ ଭିତରୁ ବାହାରିବେ। ସୁଡ଼ଙ୍ଗ ଭିତରକୁ ଡ୍ରୋନ୍ ଛଡାଯାଇ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି। ଟନେଲ୍ ବାହାରେ କ୍ୟାମ୍ପ ଅଫିସ୍ କରି ନଜର ରଖିଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ । ଗତକାଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ସୁଡ଼ଙ୍ଗ ଭିତରୁ ଶ୍ରମିକମାନେ ବାହାରିବା ପରେ ସେମାନଙ୍କର ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଅସୁସ୍ଥ ଥିବା ଶ୍ରମିକଙ୍କୁ ହସ୍ପିଟାଲରେ ଚିକିତ୍ସିତ କରାଯିବ। ସେଥିପାଇଁ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍ ପ୍ରସ୍ତୁତ କରି ରଖାଯାଇଛି।