ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଚର୍ଚ୍ଚାରେ ରହିଛି ’କୌନ ବନେଗା କୋରଡ଼ପତି’ର ଲାଟେଷ୍ଟ ଏପିସୋଡ୍। ଗୁଗୁଲ ବୟ ନାମରେ ଜଣାଶୁଣା ୮ ବର୍ଷୀୟ ବିରାଟ ଆୟର ଏହି ସୋ’ରେ ଭାଗ ନେଇଥିବାବେଳେ ଫଟଫଟ ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିଲେ। ଯାହାକୁ ଦେଖି ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ଚକିତ ହୋଇ ଯାଇଥିଲେ। ତେବେ କୋଟିଏ ଟଙ୍କାର ପ୍ରଶ୍ନରେ ହଡ଼ବଡ଼ ହୋଇଥିଲେ। ଆଉ ଏହି ଗୋଟିଏ ପ୍ରଶ୍ନର ସେ ଉତ୍ତର ଦେଇଥିଲେ କୋଟିଏ ଟଙ୍କା ପୁରସ୍କାର ପାଇଥାନ୍ତେ। ମାତ୍ର ଶେଷ ପ୍ରଶ୍ନର ଉତ୍ତର ଭୁଲ୍ ଦେଇଥିବାରୁ ୩ ଲକ୍ଷ ୨୦ ହଜାର ଟଙ୍କା ପାଇଛନ୍ତି।
ବିରାଟଙ୍କୁ ପଚରା ଯାଇଥିବା ପ୍ରଶ୍ନଟି ଥିଲା ପିରିୟଡିକ ଟେବୁଲରେ ୯୬ ଏବଂ ୧୦୯ ପରମାଣୁ ସଂଖ୍ୟା ଥିବା ୨ଟି ନମ୍ବର ନାମରେ କଣ ବିଶେଷ ରହିଛି। ଏଥିରେ ତାଙ୍କୁ ୫ଟି ବିକଳ୍ପ ମଧ୍ୟ ଦିଆଯାଇଥିଲା। ମାତ୍ର ସେ ଏହି ପ୍ରଶ୍ନରେ ଘାବରେଇ ଯାଇ ଭୁଲ୍ ଉତ୍ତର ଦେଇଥିଲେ। ଯାହା ଫଳରେ ସେ ହାରି ଯାଇଥିଲେ। ତେବେ ଏହି ସୋ’ରେ ଭାଗ ନେଇଥିବା ବିରାଟ ଆୟାର କିଏ? ତାଙ୍କୁ ନେଇ ଏତେ ଚର୍ଚ୍ଚା କାହିଁକି?
ବିରାଟଙ୍କ ବୟସ ମାତ୍ର ୮ ବର୍ଷ। କିନ୍ତୁ ତାଙ୍କ ଜ୍ଞାନ ବଡ଼ ବଡ଼ ଲୋକଙ୍କୁ ମଧ୍ୟ ଚକିତ କରି ଦେଇଛି। ବିରାଟଙ୍କ ଘର ଛତିଶଗଡ଼ରେ ହୋଇଥିବାବେଳେ ୩୦ରୁ ଅଧିକ ପୁରସ୍କାର ପାଇଛନ୍ତି । କମ ବୟସରୁ ବଡ଼ ବଡ଼ ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ ପୁରସ୍କାର ଜିତିଛନ୍ତି। ଶିକ୍ଷକ ଏବଂ ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ପିଲାଟି ଦିନରୁ ହିଁ ତାଙ୍କର ଏଭଳି ପ୍ରଖର ଜ୍ଞାନ ରହିଛି। ଥରେ ଯେଉଁ କଥା ଶୁଣନ୍ତି କିମ୍ବା ପଢ଼ନ୍ତି ସେ ମନେ ରଖି ଦିଅନ୍ତି। ଯାହାକି ପ୍ରଥମରୁ ତାଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି।