ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ତ୍ଵରିତ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି। ୨୭୯ଟି ଆମ୍ବୁଲାନ୍ସକୁ ୧୦୮-ଆମ୍ବୁଲାନ୍ସ ସେବାରେ ସାମିଲ କରାଯାଇଛି। ବାକି ୭୦ଟିକୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କୁ ଯୋଗାଇ ଦିଆଯାଇଛି। ଏହି ୭୦ଟି ମଧ୍ୟରୁ ୪୦ଟି ହେଉଛି ଜୀବନ ରକ୍ଷାକାରୀ ମୌଳିକ ଆମ୍ବୁଲାନ୍ସ ଏବଂ ୩୦ଟି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ଆମ୍ବୁଲାନ୍ସ। ସମୁଦାୟ ୩୪୯ଟି ଆମ୍ବୁଲାନ୍ସ ବାବଦରେ ୧୪୮.୪୫ କୋଟି ଟଙ୍କା ବିନିଯୋଗ କରାଯାଇଛି। ୧୦୮-ଆମ୍ବୁଲାନ୍ସ ସେବାରେ ଏହି ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ମୋଟ ଆମ୍ବୁଲାନ୍ସ ସଂଖ୍ୟା ୧୩୬୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ ପ୍ରତିଦିନ ହାରାହାରି ୪୦୦୦ରୁ ଅଧିକ ସଂଖ୍ୟକ ରୋଗୀ ଏହି ୧୦୮-ଆମ୍ବୁଲାନ୍ସ ସେବା ଦ୍ଵାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି। ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକୁ ଯୋଗଉଥିବା ୭୦ଟି ଆମ୍ବୁଲାନ୍ସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ରୋଗୀମାନଙ୍କୁ ଆବଶ୍ୟକ ସ୍ଥଳେ ସରକାରୀ ଡାକ୍ତରଖାନାରୁ ଘରୋଇ ହସ୍ପିଟାଲକୁ ଜରୁରୀକାଳିନ ସ୍ଥାନାନ୍ତରରେ ବ୍ୟବହାର ହେବା ସହ ଜିଲ୍ଲା ସ୍ତରରେ ଅନ୍ୟ ରୋଗୀମାନଙ୍କ ଜରୁରୀ ଆବଶ୍ୟକତା ପୁରଣରେ ସହାୟକ ହେବ। ‘ପ୍ରତି ଜୀବନ ମୂଲ୍ୟବାନ’ ନୀତି ଅନୁଯାୟୀ ଏହା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ।