ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା। ୨୦୦୩ ବିଶ୍ବକପ୍ ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ଭାରତ ପ୍ରସ୍ତୁତ। ଅପରାଜୟ ଭାବେ ଟିମ୍ ଇଣ୍ଡିଆ ଫାଇନାଲକୁ ପ୍ରବେଶ କରିଥିବା ବେଳେ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି। ଆଜିର ମ୍ୟାଚରେ ପ୍ଲେଇଂ ଇଲେଭେନରେ ଅଶ୍ୱିନୀଙ୍କୁ ସ୍ଥାନ ମିଳିବା ନେଇ ରୋହିତ ଶର୍ମାଙ୍କ ସଙ୍କେତ। ଭାରତ ତୃତୀୟ ଥର ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଟିମ୍ ଅଷ୍ଟ୍ରେଲିଆ ଷଷ୍ଠ ଥର ଚାମ୍ପିୟନ ମୁକୁଟ ପିନ୍ଧିବାକୁ ଆପ୍ରାଣ ଉଦ୍ୟମ କରିବ।
ଭାରତ ପାଇଁ ଉଭୟ ବ୍ୟାଟିଂ ଓ ବୋଲିଂ ଗୁରୁତ୍ବପୂର୍ଣ୍ଣ ରହିବ। ବ୍ୟାଟିଂରେ ରୋହିତ ଏବଂ ବିରାଟ ଶତକ ଛିଡ଼ା କରିପାରନ୍ତି। ସେହିପରି ବୋଲିଂରେ ପ୍ରଥମ ୧୦ ଓଭରରେ କଙ୍ଗାରୁ ଟିମକୁ ଝଟକା ଦେଲେ ବିଶ୍ବକପ ଉପରେ କବଜା ନିଶ୍ଚିତ। ଆଜିର ମହାମୁକାବିଲା ଲାଗି ଭାରତ ବୋଲିଂରେ କିଛିଟା ପରିବର୍ତ୍ତନ ମଧ୍ୟ କରିପାରେ। ସମସ୍ତ ୧୪୦ କୋଟି ଭାରତୀୟ ଆଶା ରୋହିତ ବାହିନୀ ଉପରେ ରହିଛି। ଅହମ୍ମଦାବାଦରେ ଏହି ମହାମୁକାବିଲାର ସାକ୍ଷୀ ରହିବେ ୧ ଲକ୍ଷ ୪୦ ହଜାରରୁ ଅଧିକ ଦର୍ଶକ। ଅପରାହ୍ନ ୨ଟାରେ ଆରମ୍ଭ ହେବ ମ୍ୟାଚ।
ଗୁଜରାଟ ଅହମ୍ମବାଦରେ ଜମିବ ଖେଳ ସହ ଉତ୍ସବର ଆସର। ବିଶ୍ବକପ ଫାଇନାଲକୁ ନେଇ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆରମ୍ଭରୁ ଦର୍ଶକଙ୍କୁ୍ ଦେଖିବାକୁ ମିଳିବ ଭାରତୀୟ ବାୟୁସେନାର କଳାକୌଶଳ। ବାୟୁସେନାର ସୂର୍ଯ୍ୟକିରଣ ଟିମ୍ ଆକାଶରେ କୌଶଳ ପ୍ରଦର୍ଶନ କରିବେ। ସାଢେ ଗୋଟାଏରୁ ୨୦ ମିନିଟ ଧରି ଚାଲିବ ଏ ରୋମାଂଚ।