ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଚଳିତ ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଇ ନାଗରିକ ସଚେତନତା କରାଯାଉଛି। ଶନିବାର ଅପରାହ୍ନରେ ଏକ ଭିନ୍ନ ସ୍ୱାଦର କାର୍ଯ୍ୟକ୍ରମ କରାଯାଇଛି। ସ୍ଥାନୀୟ ଦୃଷ୍ଟିବାଧିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପାଳନ କରାଯାଇଛି ଏହି କାର୍ଯ୍ୟକ୍ରମ। ଏଠାରେ ଥିବା ପ୍ରାୟ ୭୦ ଜଣ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଇଛି। ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା,ମାନନୀୟା ମେୟର ଶ୍ରୀମତି ସୁଲୋଚନା ଦାସ, ମାନନୀୟା ଡେପୁଟି ମେୟର ଶ୍ରୀମତି ମଞ୍ଜୁଲତା କହଁର,କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ,ବିଭିନ୍ନ କର୍ପୋରେଟର ଏବଂ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀଙ୍କ ଗହଣରେ ସ୍ୱଚ୍ଛ ସବୁଜ ଦୀପାବଳିର ବାର୍ତ୍ତା ଦିଆଯାଇଥିଲା। ପ୍ରଥମେ ମାନ୍ୟବର ମଧ୍ୟ ବିଧାୟକ ସମସ୍ତ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର କର୍ମକର୍ତ୍ତାଙ୍କୁ ବଧେଇ ଜଣାଇବା ସହିତ ବିଦ୍ୟାଳୟ ପରିସରର ପରିଚ୍ଛନ୍ନତାକୁ ପ୍ରଶଂସା କରିଥିଲେ। ଏହିଠାରୁ ପରିଚ୍ଛନ୍ନତା ବାବଦରେ ଅନ୍ୟମାନେ ଶିଖିପାରିବେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱରକୁ ସ୍ୱଚ୍ଛ ରଖିବାରେ ଶିକ୍ଷାର୍ଥୀମାନଙ୍କ ଭୂମିକା, ଦୀପାବଳିରେ ଏହିଭଳି ପିଲାମାନଙ୍କର ଯୋଗଦାନ ଏକ ଅର୍ନ୍ତଭୁକ୍ତିକରଣ ସମାଜର ଦୃଢ଼ପରିଚୟ ଏବଂ ବି ଏମ୍ ସି ର ବିକାଶନୀତି ଏଥିରେ ବିଶ୍ୱାସ କରେ ବୋଲି କହିଥିଲେ ମାନନୀୟା ମେୟର। ଆମ ଭୁବନେଶ୍ୱର ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଆଗେଇ ଚାଲିଛି। ସ୍ୱଚ୍ଚତାରେ ଆମେ ବିଭିନ୍ନ ବିଜ୍ଞାନ ସମ୍ମତ ଉପଯୋଗୀତାକୁ ନେଇ ସହରର ପରିଚ୍ଛନ୍ନତାକୁ ଆଗେଇ ନେଇଛୁ। ଏଥିରେ ଗୋଷ୍ଠୀସମୂହ ସହଯୋଗ କରିଆସୁଛନ୍ତି। ଆଜି ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯେଉଁଭଳିଭାବେ ଭୁବନେଶ୍ୱର ଫାର୍ଷ୍ଟ୍ର ନାରା ଦେଇଛନ୍ତି ତାହା ଖୁବ୍ ହୃଦୟସ୍ପର୍ଶୀ। ଏହିବାର୍ତାକୁ ଆମେ ସାରା ଭୁବନେଶ୍ୱରବାସୀଙ୍କୁ ଜଣାଇବାକୁ ଚାହିଁବୁ। ସମସ୍ତେ ଭୁବନେଶ୍ୱର ଫାର୍ଷ୍ଟ୍ ପାଇଁ ଆଗ୍ରହର ସହିତ ଦାୟିତ୍ୱ ନିଭାନ୍ତୁ ବୋଲି ଅନୁରୋଧ ଜଣାଇଥିଲେ କମିଶନର । ଏହାପରେ ଉପସ୍ଥିତ ଟିମ୍ ବି ଏମ୍ ସିର ସମସ୍ତ ସଦସ୍ୟ ସଦସ୍ୟା ଯାହାକି ମେୟର, ଡେପୁଟି ମେୟର, କମିଶନର, କର୍ପୋରେଟର୍ ଇତ୍ୟାଦି ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ମିଷ୍ଟାନ୍ନ ବଂଟନ କରିବାସହିତ ସେମାନଙ୍କ ସହିତ ଛୋଟ ଶବ୍ଦହୀନ ବାଣ ଫୁଟାଇବାରେ ମଜ୍ଜିରହି ଏହି ପିଲାମାନଙ୍କର ଶୁଭ ମନାସିଥିଲେ। ସୂଚନାଯୋଗ୍ୟ ଯେ ବି ଏମ୍ ସି କର୍ତୃପକ୍ଷ ଙ୍କ ତରଫରୁ ସବୁଜ ଦୀପାବଳି ପାଳନ ନିମନ୍ତେ ନିବେଦନ ବାର୍ତ୍ତା ଦିଅଯାଉଥିବାବେଳେ ସହରର ବିଭିନ୍ନ ସ୍ଥାନରେ ବିଶେଷକରି ବାଣ ବିକ୍ରି ହେଉଥିବା ସ୍ଥାନମାନଙ୍କରେ ସଚେତନତା କରାଇବା ନିମନ୍ତେ ସ୍ୱତନ୍ତ୍ର ପ୍ରଦର୍ଶନ ଫଳକ, ପ୍ରଚାର ଗାଡିରେ ସଚେତନତା ବାର୍ତ୍ତା ଜଣାଇବା, କୁମ୍ଭକାର ମାନେ କରୁଥିବା ଦୀପକୁ ପ୍ରୋତ୍ସାହିତ କରି ବିଭିନ୍ନ ସୋସିଆଲ୍ ମେଡିଆରେ ତାହାକୁ ଜଣାଇବା, ସ୍ୱଚ୍ଛ ସବୁଜ ଦୀପାବଳି ବାର୍ତ୍ତାକୁ ବିଭିନ୍ନ ବର୍ଗରେ ପହଂଚାଇବା ନିମନ୍ତେ ମଧ୍ୟ କାର୍ଯ୍ୟକ୍ରମମାନ କରାଯାଉଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିଶନର ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଓ ଏସ୍ ଡି ଟୁ ମେୟର ଶ୍ରୀ ପ୍ରିୟବ୍ରତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ପାଲ୍ ଟିମ୍ ବି ଏମ୍ ସି ର ଏପରି ପଦକ୍ଷେପକୁ ପ୍ରଶଂସା କରିଥିଲେ।