ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଘରେ ଘରେ ଉତ୍ସାହର ମାହୋଲ। ଗାଁରୁ ସହର ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି। ଏପଟେ ପୟାଶ୍ରାଦ୍ଧ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ସନ୍ଧ୍ୟାକୁ ଅପେକ୍ଷା। ରଙ୍ଗୀନ ଆଲୋକମାଳା ସାଙ୍ଗକୁ ଦୀପ ଓ କ୍ୟାଣ୍ଡଲେ ଘରକୁ ସଜାଇବେ ଲୋକେ। ପିଠାପଣା ସାଙ୍ଗକୁ ବାଣ ଫୁଟାଇ ଦୀପାବଳି ଉତ୍ସବକୁ ପାଳନ କରିବେ। ସେପଟେ ଆଜି ପୟାଶ୍ରାଦ୍ଧ ଥିବାରୁ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ବିଦାୟ ଦେବେ। କାଉଁରିଆ କାଠିରେ ନିଆଁ ଲଗାଇ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। କୁହାଯାଏ ଆଶ୍ବୀନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରେ ଆରମ୍ଭ ହୋଇଥିବା ଅପରପକ୍ଷ ଦିନଠାରୁ ପୂର୍ବପୁରୁଷ ମାନେ ମର୍ତ୍ତମଣ୍ତଳକୁ ଆସିଥାନ୍ତି। ଆଜି ଦୀପାବଳି ଅମାବାସ୍ୟାରେ ଶ୍ରାଦ୍ଧ ଓ ପିଣ୍ତଦାନ କରି ତାଙ୍କୁ ସ୍ବର୍ଗଲୋକକୁ ବିଦାୟ ଦିଆଯାଇଥାଏ। ଏଥିପାଇଁ ଘରେ ଘରେ ଶୁଭିବ ବଡ଼ବଡୁଆ ହୋ ଡାକ।
ସେହିପରି ଆଜିଠାରୁ ଧରାବତରଣ କରିବେ ମହାଶକ୍ତି ମହାକାଳୀ। ଏଥିପାଇଁ ସବୁ ମଣ୍ଡପରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମଧ୍ୟରାତ୍ରୀରେ ଶ୍ୟାମାକାଳୀଙ୍କୁ ଆବାହନ କରିବେ ମଣ୍ଡପ କର୍ମକର୍ତ୍ତା। ଚଣ୍ଡିପାଠରେ କମ୍ପିବ ପୂଜା ମଣ୍ଡପ। ମହାଶକ୍ତିଙ୍କ ପୂଜା ପାଇଁ ସଜେଇ ହୋଇଛି ସବୁ ମଣ୍ଡପ।