ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ମା ସମଲେଶ୍ବରୀଙ୍କ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଝଟକିଲାଣି ବେଢା, ପ୍ରସ୍ତୁତ ହେଲାଣି ହେରିଟେଜ୍ କରିଡର। ଆସନ୍ତାମାସ ସୁଦ୍ଧା ମନ୍ଦିରର ରୂପାନ୍ତରଣ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ସକାଳୁ ସକାଳୁ ପୀଠ ପରିସରରେ ପହଞ୍ଚି ରୂପାନ୍ତରଣର ଅନୁଧ୍ୟାନ କରିଛନ୍ତି 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ।
ସକାଳ ୬ଟାରୁ ମା ସମଲେଶ୍ବରୀଙ୍କ ପୀଠରେ ପହଞ୍ଚି ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ପାଣ୍ଡିଆନ। ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଛନ୍ତି। ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂ ସ୍ଥଳୀ, ପୋଡିୟମ, ଧାଡି ପରିଚାଳନା ବ୍ୟବସ୍ଥା, କ୍ଲକ ରୁମ ସହ ମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟକରଣ କରାଯାଉଛି।
ଭେଣ୍ଡିଂ ଜୋନ, ସୂଚନା କେନ୍ଦ୍ର, ତୀର୍ଥଯାତ୍ରୀ ସୁବିଧା, ମନ୍ଦିର ସୁବିଧା କେନ୍ଦ୍ର କାମ ଜାରି ରହିଛି। ମନ୍ଦିର ରୂପାନ୍ତରଣ କାର୍ଯ୍ୟ ୭୦ ପ୍ରତିଶତରୁ ଅଧିକ ଶେଷ ହୋଇସାରିଲାଣି। ପ୍ରତି କାମକୁ ଦେଖିବା ସହ ଏହାର ଗୁଣାବତ୍ତା ସମ୍ପର୍କରେ ଆଲୋଚନା କରିବା ସହ ନୂଆବର୍ଷ ପୂର୍ବରୁ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭିକେ ପାଣ୍ଡିଆନ।