ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଖାଦ୍ୟ ଶରୀର ପାଇଁ ଯେତିକି ଉପଯୋଗୀ ବେଳେ ବେଳେ ତାହା କ୍ଷତିକାରକ ମଧ୍ୟ ହୋଇଯାଏ। ଗୁଲୁଗୁଲା ଖାଇବା ତାଙ୍କ ପାଇଁ ମୃତ୍ୟୁର ଦୁଆର ଖୋଲିଦେଲା। ମୃତକ ହେଲେ ଶିରୀଶଚନ୍ଦ୍ର ନାୟକ। ତେବେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦାନ୍ତିଆମୁହାଁ ଗ୍ରାମରେ ଏଭଳି ମର୍ମାହତ ଘଟଣା ଘଟିଛି।
ସୂଚନା ଅନୁସାରେ, ଦାନ୍ତିଆମୁହାଁ ସାପ୍ତାହିକ ହାଟରେ ଏକ ଜଳଖିଆ ଦୋକାନକୁ ଶିରୀଶ ଯାଇଥିଲେ। ସେଠାରେ ଚ୍ୟାଲେଞ୍ଜରେ ଥରକେ ୪ଟି ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଏକାସଙ୍ଗେ ପାଟିରେ ପୁରାଇ ଖାଇବାକୁ ଆରମ୍ଭ କରିଥିଲେ। କିନ୍ତୁ ଏହା ତଣ୍ଟିରେ ଲାଗି ଅଟକି ରହିଯାଇଥିଲା। ଫଳରେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ବାରିପଦା ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇଛି ।