ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ନଭେମ୍ବର ୧ ତାରିଖରେ କଳାହାଣ୍ଡି ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକ୍ଷ୍ମୀ ବସ ଚଳାଚଳ, ନୂତନ ମେଡ଼ିକାଲ କଲେଜ, ବସଷ୍ଟାଣ୍ଡ ସହ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର କରିବେ ଶୁଭାରମ୍ଭ। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡିଗସ୍ତକୁ ନେଇ ପୂରା ପଶ୍ଚିମ ଓଡ଼ିଶାରେ ଦେଖାଦେଇଛି ଉତ୍ସାହର ମାହୋଲ। ଭୋକର ଭୂଗୋଳରୁ ବିକାଶର ପ୍ରୟୋଗଶାଳା। ନଭେମ୍ବର ୧ରେ କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ। ଆଉ ନିଜର ଜନ୍ମଦିନରେ ଆଉ ପାଦେ ଆଗେଇବ କଳାହାଣ୍ଡିର ରୂପାନ୍ତରଣ ପ୍ରକ୍ରିୟା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶୁଭାରମ୍ଭ। ଦକ୍ଷିଣ ପରେ ପଶ୍ଚିମ ଓଡ଼ିଶାରେ ବିକାଶର ପର୍ବ ଆରମ୍ଭ ହେବାକୁ ଯାଉଥିବାରୁ ବେଶ ଉତ୍ସାହିତ ଅଛନ୍ତି ଜିଲ୍ଲାବାସୀ। ପଶ୍ଚିମ ଓଡ଼ିଶାର ଲାଇଫଲାଇନ ସାଜିଥିବା ବିଜୁ ଏକ୍ସପ୍ରେସ ଓ୍ବେ ପରେ ଗମନାଗମନର ସୁବିଧା ପାଇଁ କଳାହାଣ୍ଡିରେ ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ ହେବ। ଏହା ସହ କଳାହାଣ୍ଡି ମେଡ଼ିକାଲ କଲେଜ, ନୂତନ ବସଷ୍ଟାଣ୍ଡ, ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରିବେ ନବୀନ। ଜିଲ୍ଲାର ବିକାଶକୁ ଆଗେଇ ନେଉଥିବା ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ପୂରା ପ୍ରସ୍ତୁତ ହୋଇଛି କଳାହାଣ୍ଡି।