ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ପୁରୀରେ ଅନୁଷ୍ଠିତ ହେବ ଗୋଷାଣି ମେଳଣ। ଆଶ୍ବିନ ମାସ ଶୁକ୍ଳ ପକ୍ଷ ପବିତ୍ର ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଗୋଷାଣି ମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବସଭା ଅନୁଷ୍ଠିତ ହେବ। ବିଧି ଅନୁସାରେ ଶ୍ରୀମନ୍ଦିର ଉପରକୁ ଏକାଦଶୀ ମହାଦୀପ ଉଠିବା ପରେ ହେବ ମେଲାଣି ଉତ୍ସବ।
ଶ୍ରୀକ୍ଷେତ୍ରରେ ଦୁର୍ଗାପୂଜା ଶେଷରେ ଭସାଣ ଉତ୍ସବର ରହିଛି ସ୍ବତନ୍ତ୍ରତା। ସବୁ ଦୁର୍ଗାମେଢ଼ ବା ଗୋଷାଣି ମେଢ଼ ଶ୍ରୀମନ୍ଦିର ସମ୍ମୁଖରେ ସମ୍ମିଳିତ ହୋଇ ଏକାଦଶୀ ମହାଦୀପ ଉଠିଲା ପରେ ବିସର୍ଜନ କରାଯାଇଥାଏ। ପରମ୍ପରା ଅନୁସାରେ ଗୋଷାଣି ବ୍ୟତୀତ ନାଗା ମେଢ଼ ଓ ଅନ୍ୟାନ୍ୟ ମେଢ଼ ମଧ୍ୟ ଦେଖିବାକୁ ମିଳିବ। ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ। ସାହି କମିଟି ସହିତ ଆଲୋଚନା କରି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନ୍ୟପଟେ ଆଜିଠୁ ଦୀର୍ଘ ଏକ ମାସ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଧା ଦାମୋଦର ବେଶ ହେବା ସହ ବାଳଭୋଗ ନୀତି ଆରମ୍ଭ ହେବ। ଯାହାକୁ ନେଇ ଶ୍ରୀକ୍ଷେତ୍ରରେ ବେଶ ଗହଳିଚହଳି ଦେଖିବାକୁ ମିଳିଛି।