ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆହୁରି ସଶକ୍ତ ହେବେ ମହିଳା। ମହିଳାମାନଙ୍କ ଆର୍ଥିକ ବିକାଶ ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା ଲାଗି ରାଜ୍ୟ ସରକାର ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି, ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ ଏକ ଯୁଗାନ୍ତକାରୀ ପଦକ୍ଷେପ। ୧୫ ହଜାର ମାଆ ସ୍କୁଟର ନେଇଛନ୍ତି। ସ୍କୁଟର ମାଆମାନଙ୍କ ପାଇଁ ଏକ ପ୍ରତୀକ। ତେବେ ଏହି ସ୍କୁଟର ଯୋଜନାରେ ୫୨୮ କୋଟି ସୁଧ ଛାଡ଼ କରାଯିବାର ଯୋଜନା ରହିଛି।
ସୂଚନା ଅନୁସାରେ, କ୍ୟାବିନେଟ୍ ବୈଠକରେ ମିଶନଶକ୍ତି ସ୍କୁଟର ଯାେଜନାକୁ ଅନୁମୋଦନ ମିଳିଥିଲା। ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା କରାଯାଇଥିଲା। କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୫୦କୋଟି ଟଙ୍କାର ବଜେଟ୍ ଆବଣ୍ଟନ ପ୍ରସ୍ତାବ ରଖାଯାଇଥିଲା।