ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ମାଟି କାମୁଡ଼ି ପଡ଼ିଥିବା ଭାରତୀୟ ହକି କେମିତି ଫେରୁଛି ନିଜ ସ୍ବର୍ଣ୍ଣିମ ଯୁଗକୁ ? ହକି ପାଇଁ ବରଦାନ ସାଜିଛି ଓଡ଼ିଶା। ଭାରତୀୟ ହକିକୁ କେମିତି ନୂଆ ଜୀବନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ହକିର ଏହି ସଫଳତା ଗାଥା ଶୁଣିବେ କଲେଜ ପିଲା। ଏଣିକି ପ୍ରତି ସୋମବାର କଲେଜରେ ସବୁ ପିଲାଙ୍କୁ ଏକାଠି କରି ଦିଆଯିବ ହକି ସଫଳତାର ବାର୍ତ୍ତା।
ଏନେଇ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ। ଭାରତୀୟ ଜାତୀୟ ଖେଳ ହକିର ପୁନରୁଦ୍ଧାର, ହକିକୁ ଓଡ଼ିଶାର ପ୍ରୋତ୍ସାହନ ସମ୍ପର୍କରେ ପିଲାଙ୍କୁ ଅବଗତ କରାଯିବ। ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ହେବା ପରେ କିଭଳି ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି ସେ ନେଇ କଲେଜ ପିଲାଙ୍କୁ ବାର୍ତ୍ତା ଦିଆଯିବ।
ଦୁଇପୃଷ୍ଠା ସମ୍ବଳିତ ଏକ ସଫଳ ବାର୍ତ୍ତା ପାଠ କରାଯିବ। ଏହାସହ କ୍ୟାମ୍ପସରେ ହକି ସଫଳତା ସମ୍ବଳିତ ବ୍ୟାନର ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେତିକି ନୁହେଁ, ପିଲାଙ୍କୁ ଏହି ଅବସରରେ ଚକୋଲେଟ୍ କିମ୍ବା ମିଠା ବଣ୍ଟନ କରାଯିବ। ଛାତ୍ରଛାତ୍ରୀଙ୍କ ଭିତରେ ହକି ପାଇଁ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ।
ଗତ ସୋମବାର ରାଜ୍ୟର ସମସ୍ତ ସ୍କୁଲରେ ପ୍ରାର୍ଥନା କ୍ଲାସରେ ହକିର ସଫଳ ବାର୍ତ୍ତା ଶୁଣିଥିଲେ ଛାତ୍ରଛାତ୍ରୀ। ଭାରତୀୟ ହକି ଦଳ ପାଇଁ ଓଡ଼ିଶାର ଅବଦାନ ଗୁରୁତ୍ଵପୂର୍ଣ୍ଣ। ୨୦୧୮ ମସିହାରୁ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିଛି। ସୁନ୍ଦରଗଡ଼ ଦେଶର ହକି ଏନ୍ତୁଡିଶାଳ। ଏଠାରେ ବିଶ୍ବର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କରିଛନ୍ତି ଓଡ଼ିଶା ସରକାର। ଓଡ଼ିଶା ସୃଷ୍ଟି କରିଛି ଦିଲ୍ଲୀପ ତିର୍କୀ, ବିରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ, ଦୀପଗ୍ରସ ଏକ୍କା କରି ପରି ଅନେକ ହକି କ୍ରୀଡ଼ାବିତ। ଯେଉଁମାନେ ଭାରତ ପାଇଁ ପ୍ରତିନିଧିତ୍ବ କରିଛନ୍ତି। ଉନ୍ନତ ଭିତ୍ତିଭୂମି ଓ ତାଲିମ ପାଇଁ ଭାରତର ପ୍ରଦର୍ଶନ ଦିନକୁ ଦିନ ଆହୁରି ଉନ୍ନତ ହେଉଛି।