ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ କର୍ମକର୍ତ୍ତା ମାନେ କୁଳପତି ସବିତା ଆଚାର୍ଯ୍ୟଙ୍କୁ ଭେଟିଲେ । ଛାତ୍ର ସଂସଦ କାର୍ଯ୍ୟାଳୟ ରେ ଦୁର୍ବୃତ୍ତଙ୍କ ଭଙ୍ଗାରୁଜାକୁ ଦୃଢ଼ ବିରୋଧ କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏହା ବ୍ୟତୀତ ଛାତ୍ର ସଂସଦ ପାଇଁ ଏକ ସ୍ଵତନ୍ତ୍ର ଗୃହ ନିର୍ମାଣ କରିବାକୁ ପ୍ରସ୍ତାବ ରଖିଥିଲେ । ଫୋରମ ସହିତ ବିଶ୍ୱବିଦ୍ୟାଳୟ ର ଅନେକ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଭବିଷ୍ୟତ ରେ ଆଲୋଚନା ପାଇଁ ମଧ୍ୟ ପ୍ରତିନିଧି ଦଳ ପ୍ରସ୍ତାବ ଦେଇଥିଲେ ।
ଅନ୍ୟ ପଟେ ଦୁର୍ବୃତ୍ତଙ୍କ ଏହି ବିଶୃଙ୍ଖଳା ସଂପର୍କରେ ପୋଲିସ କମିଶନରଙ୍କୁ ଅବଗତ କରାଯିବ ବୋଲି ପୂର୍ବତନ ଛାତ୍ର ସଂସଦ ପ୍ରତିନିଧି ଦଳ ସୂଚନା ଦେଇଥିଲେ । ଏହି ଆଲୋଚନାରେ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. କାହ୍ନୁ ଚରଣ ଧୀରଙ୍କ ସମେତ ଅନ୍ୟାନ୍ୟ ଉଚ୍ଚପଦସ୍ଥ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହା ସହ ପୂର୍ବତନ ଛାତ୍ର ସଂସଦ ତରଫରୁ ଅମିୟ ମହାନ୍ତି, ହିମାଂଶୁ ଲେଙ୍କା, ଚିନ୍ମୟ ସାହୁ, ମନୋଜ ବିଶ୍ଵାଳ, ପ୍ରକାଶ ତ୍ରିପାଠୀ, ତନ୍ମୟ ସ୍ବାଇଁ, ରାଜେଶ ରାଜ ସ୍ବାଇଁ, ସଂଗ୍ରାମ କେଶରୀ ଦାସ, ଇପସିତା ସାହୁ, ତ୍ରିଲୋଚନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।