ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଝୁରୁଛି ଗାଁ ଦାଣ୍ଡ, ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପରିବାର। ପୁଅକୁ ହରାଇ ଭାଙ୍ଗିପଡ଼ଛନ୍ତି ସହିଦ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ପରିବାର। ଶନିବାର ଜନ୍ମମାଟିକୁ ଆସିବ ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜଙ୍କ ପାର୍ଥିବ ଶରୀର। ଢେଙ୍କାନାଳ କାମାକ୍ଷାନଗର ଦିଘିରେ ତାଙ୍କ ଶେଷକୃତ୍ୟ କରାଯିବ। ଭୁବନେଶ୍ବର ବିମାନବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରୁ ଶୋଭାଯାତ୍ରାରେ ଜନ୍ମମାଟି କାମାକ୍ଷାନଗରର କେନ୍ଦୁଢିପକୁ ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏଥିପାଇଁ ଗାଁ ଲୋକ ଓ ପ୍ରଶାସନ ପ୍ରସ୍ତୁତି କରିଛି। ସରୋଜଙ୍କ ବିୟୋଗରେ ଗାଁରେ ଶୋକାକୁଳ ପରିବେଶ ଲାଗି ରହିଛି।
ଚାରିଆଡେ କାନ୍ଦ ବୋବାଳି ସହିତ ରଡ଼ିରେ ଫାଟି ପଡୁଛି ପରିବେଶ। ଗତ ମଙ୍ଗଳବାର ରାତିରେ ଭାଇ ମନୋଜ ଫୋନ ଯୋଗେ ସରୋଜଙ୍କ ସହ କଥା ହୋଇଥିଲେ। ସିକ୍କିମରେ ପ୍ରବଳ ବର୍ଷା ହେଉଥିବା କହିଥିଲେ ସରୋଜ। ସେହି ସମୟରେ ସରୋଜ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଥିବା କହିଥିଲେ। ପରେ ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ୨୩ ଜଣ ଯବାନ ଭାସି ଯାଇଥିବା ଘରକୁ ଫୋନ ଆସିଥିଲା। ମୃତଦେହ ଚିହ୍ନଟ କରିବାକୁ ପରିବାର ଲୋକଙ୍କୁ ଫୋନରେ ଡାକିଥିଲେ କର୍ତ୍ତୃପକ୍ଷ। ଶେଷରେ ପରିବାର ଲୋକଙ୍କୁ ଭିଡିଓ କଲ କରି ମରଶରୀର ଚିହ୍ନଟ କରିଥିଲେ ସେନାବାହିନୀ।