ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବଢୁଛି ବୈତରଣୀ ନଦୀର ଜଳସ୍ତର। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢୁଛି ବୈତରଣୀ ନଦୀର ଜଳସ୍ତର। ଭଦ୍ରକ ଆଖୁଆପଦା ଆନିକଟ ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର। ନଦୀର ବିପଦ ସଂକେତ 17 ଦଶମିକ 83 ମିଟର ଥିବା ବେଳେ ଏବେ 17 ଦଶମିକ 91 ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଦୁଇଦିନ ହେବ ଲଗାଣ ବର୍ଷା ହେବା ଫଳରେ ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି। ଯାହାଫଳରେ ବୈତରଣୀରେ ବନ୍ୟା ଆଶଙ୍କା କରାଯାଉଛି ।
ସେପଟେ ପ୍ରବଳ ବର୍ଷା ଯୋଗୁ ବଢୁଛି ଜଳକା ନଦୀର ଜଳସ୍ତର। ମଥାନୀରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ବୃଦ୍ଧି ପାଇ ୬.୩୩ ମିଟର ଉପରେ ପ୍ରବାହିତ ହେଉଛି। ବର୍ଷା ଲାଗି ରହିଥିବା ବେଳେ ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ଯା ଆଶଙ୍କା ପାଇଁ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ। ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର। ଲଘୁଚାପ ସକ୍ରିୟ ଥିବାରୁ ଆହୁରି ଦୁଇଦିନ ବର୍ଷା ହେବ ବୋଲି ସୂଚନା ଥିବାରୁ ବନ୍ୟା ଆଶଙ୍କା କରାଯାଉଛି। ଯଦି ବନ୍ୟା ହୁଏ, ତେବେ ବସ୍ତା ଏବଂ ସଦର ବ୍ଲକର ପାଖାପାଖି ୧୨ଟି ପଞ୍ଚାୟତର ଚାଷ କ୍ଷତି ହେବାର ଆଶଙ୍କା କରାଯାଉଛି।