ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଜନତାଙ୍କ ପାଖକୁ ଯିବେ ବିଜେଡି ନେତା, ବିଧାୟକ ମନ୍ତ୍ରୀ ଓ ସାଂସଦ। ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା। ଭୁବନେଶ୍ବର ବଡ଼ଗଡ଼ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି, ସାଧାରଣ ଲୋକଙ୍କ ଖୁସି, ଆମର ସବୁଠାରୁ ବଡ଼ ଖୁସି। ବିଜେଡି ଗରିବ ଲୋକ, ମହିଳା, ଯୁବବର୍ଗ ଓ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ ପାଇଁ କାମ କରୁଛି।
ମାଆମାନଙ୍କୁ ସଶକ୍ତ କରିବା ପାଇଁ କାମ କରୁଛି ବିଜେଡି। ସେହିପରି ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରଖିବାକୁ ଆଇନ ଆସିଛି। ବିଜେଡିର ପ୍ରୟାସ ସଫଳ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସାଧାରଣ ଲୋକଙ୍କ ଆତ୍ମବିଶ୍ବାସ ହୋଇଛି। ରୂପାନ୍ତର ଓଡ଼ିଶା ପାଇଁ ଶକ୍ତି ଦେଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବରଦାନ ସାଜିଛି BSKY। ସରକାରୀ ଓ ଘରୋଇ ସ୍କୁଲ ମଧ୍ୟରେ ତାରତମ୍ୟ ଦୂର ହୋଇଛି। ଖାଦ୍ୟ ସୁରକ୍ଷା, କ୍ରୀଡ଼ାର ବିକାଶ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସାରା ଦେଶ ପାଇଁ ରୋଲ ମଡେଲ ସାଜିଛି ଓଡ଼ିଶା। ନିଯୁକ୍ତିର ନୂଆ ସୁଯୋଗ ଆସିଛି।
ହେଲେ ବିକାଶ ଯାତ୍ରାରେ ବିରୋଧୀ ଖୁସି ନାହାନ୍ତି। ଲୋକଙ୍କୁ ଭୁଲ ଖବର ଦେବାରେ ସେମାନେ ଖୁସି ହୁଅନ୍ତି। ନିର୍ବାଚନ ଆସିଲେ ବିରୋଧୀ ସବୁବେଳେ ଏମିତି କାମ କରିଥାନ୍ତି ବୋଲି ନବୀନ କହିଛନ୍ତି। ତେଣୁ ଜନତା ସେମାନଙ୍କୁ ସବୁବେଳେ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି। ସେମାନଙ୍କ ଜନବିରୋଧୀ ଓ ବିକାଶ ବିରୋଧୀ ମନୋଭାବକୁ ଲୋକ ଠିକ ବୁଝିଛନ୍ତି। ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ବିକାଶ କାମ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବିରୋଧୀ। ଲୋକ ସେମାନଙ୍କୁ କ୍ଷମା ଦେବେନି।
ସେହପରି ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ଓ ଘରେ ଘରେ ଶଙ୍ଖ ପାଇଁ କାମ କରିବାକୁ ଆହ୍ବାନ ଦେଇଛନ୍ତି ନବୀନ। ଜନସମ୍ପର୍କ ପଦଯାତ୍ରାରେ ବିଜୁ ଜନତା ଦଳର ସାଂସଦ, ବିଧାୟକ ଓ କର୍ମକର୍ତ୍ତା ରାଜ୍ୟର ସମସ୍ତ ୧୪୭ ନିର୍ବାଚନମଣ୍ଡଳୀ, ୩୧୪ ବ୍ଲକ, ସମସ୍ତ ସହରାଞ୍ଚଳରେ ଲୋକଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ଦୁଃଖସୁଖରେ ସାମିଲ ହେବେ। ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତା ପହଞ୍ଚାଇବା ସହ ଲୋକଙ୍କ ଅଭିଯୋଗ ବି ଶୁଣିବେ। ବିକାଶ ଏକ ନିରନ୍ତର ପ୍ରକ୍ରିୟା। ବିଜେଡି କ୍ଷମତାରେ ରହିବା ଦିନଠାରୁ ରାଜ୍ୟର ସାମଗ୍ରିକ ବିକାଶ ଉପରେ ସବୁବେଳେ ଗୁରୁତ୍ବ ଦେଇଆସୁଛି। ପଦଯାତ୍ରା ବେଳେ ସରକାରଙ୍କ ଜନକଲ୍ୟାଣ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିବ ଦଳ। ଏହାସହ ବିଜେଡି ପକ୍ଷରୁ ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଆଜିଠାରୁ ଜୟପ୍ରକାଶ ଜୟନ୍ତୀ ଯାଏଁ ରାଜ୍ୟବ୍ୟାପୀ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଚାଲିବ।