ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ପୁଣି ବର୍ଷା। ଭିଜିବ ଉପାନ୍ତରୁ ଉପକୂଳ। କାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ। ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବ ଲଘୁଚାପ। ପ୍ରଭାବରେ ଆଜିଠୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବ।
ବିଶେଷ କରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ। ଏଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। କାଲିଠୁ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି। ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ, ବାଲେଶ୍ବର, ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ବଜ୍ରପାତ ବର୍ଷା ନେଇ ୧୭ ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି।
୩୦ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ। ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି।