ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଲିଉଡ୍ ଜଗତର ଜଣେ ସୁପ୍ରତିଷ୍ଠିତ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର କିଛି ଦିନ ହେବ ସିନେମା ଦୁନିଆରେ ନଜର ଆସୁନାହାଁନ୍ତି । କାରଣ ଏବେ ସେ ମେଗା ଧାରାବାହିକରେ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏକଦା ‘ଚୋରାବାଲି’ ଧାରାବାହିକରେ ଅଭିନୟ କରି ମନ ଜିଣିଥିବା ସିଦ୍ଧାନ୍ତଙ୍କୁ ଅନେକ ବର୍ଷ ପରେ ଅକ୍ଷୟ ପରିଜା ପ୍ରଡକ୍ସନ୍ ପକ୍ଷରୁ ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଯାଉଥିବା ନୂତନ ଧାରାବାହିକ ‘କେମିତି କହିବି କହ’ରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଅଭିନେତ୍ରୀ ସୁପ୍ରିୟା । ଏହାବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଉ କିଛି ତାରକାଙ୍କୁ ମଧ୍ୟ ଏହି ଧାରାବାହିକରେ ଦେଖିବାକୁ ମିଳିବ । ତେବେ ସୂଚନା ମୁତାବକ ପ୍ରଥମକରି ଏହି ଧାରାବାହିକରେ ଏକ ହେଲିକପ୍ଟରର ବ୍ୟବହାର କରାଯାଇଛି ।
ଏହି ଧାରାବାହିକରେ ଓଡ଼ିଆ ସିନେମାର ଜଣେ ଜଣାଶୁଣା ନିର୍ଦେଶକ ସୁଶାନ୍ତ ମଣି ନିର୍ଦ୍ଦେଶନ ଦେଉଛନ୍ତି । ସଂଗୀତ ନିର୍ଦେଶନା ଗୁଡଲି ରଥ ଦେଉଥିବା ବେଳେ କ୍ୟାମେରା ପରିଚାଳନା ଦାୟିତ୍ଵରେ ଅଛନ୍ତି ସୀତାଂଶୁ ମହାପାତ୍ର । ସିଦ୍ଧାନ୍ତ କହିଛନ୍ତି ସିନେମା ହେଉ କି ଧାରାବାହିକ; ସବୁବେଳେ ପରୀକ୍ଷା ନିରୀକ୍ଷା ଜାରି ରଖିବା ଉଚିତ । କାରଣ ଦର୍ଶକଙ୍କ ମନକୁ ଜିଣିବା ଏବଂ ବ୍ୟବସାୟୀକ ସଫଳତା ଲାଗି ଏହା ନିତାନ୍ତ ଜରୁରୀ । ଦର୍ଶକମାନେ ତାଙ୍କୁ ଚଳଚ୍ଚିତ୍ରରେ ଯେପରି ପସନ୍ଦ କରିଛନ୍ତି, ଧାରାବାହିକରେ ମଧ୍ୟ ସେଭଳି ଭଲ ପାଇବା ମିଳିବ ବୋଲି ସେ ଆଶା କରିଛନ୍ତି ।