ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ହନିଟ୍ରାପ ମାମଲାରେ ବିଚରାଧୀନ ବନ୍ଦୀ ଅର୍ଚ୍ଚନା ନାଗ ଜେଲରେ ରହୁଛନ୍ତି । ହେଲେ କମିନି ଅଏସ, ତାଙ୍କୁ ସମସ୍ତ ରାଜକୀୟ ସୁବିଧା ମିଳିଛି । ଜେଲରେ ଦାମି କମ୍ପାନୀର ପରଫ୍ୟୁମ ସାଙ୍ଗକୁ ବ୍ରାଣ୍ଡେଟ ମେକଅପ ସାମଗ୍ରୀ, ପାଖାପାଖି ୫୦ ହଳ ଡ୍ରେସ ଓ ଅତି କମରେ ୧୦ ହଳ ଯୋତା ଥୁଆ ହୋଇଛି । ଫୋନରେ ଗପିବା ସହ ସିସିଟିଭି ନଥିବା ରୁମରେ ରହୁଛନ୍ତି ଅର୍ଚ୍ଚନା ନାଗ । ନିକଟରେ ଜେଲରୁ ଜାମିନ ପାଇଥିବା ଜଣେ ମହିଳା କର୍ମଚାରୀ ଏହି ଗୁମର ଖୋଲିଛନ୍ତି । କିନ୍ତୁ ଏନେଇ ଜେଲ କର୍ତ୍ତୃପକ୍ଷ ଖୋଲୁନାହାଁନ୍ତି ମୁହଁ । ଜେଲକୁ ନିଜ ଘର ଭଳି ବ୍ୟବହାର କରୁଛନ୍ତି ଅର୍ଚ୍ଚନା । ୱେଲଫେୟାର ରୁମରେ ଏକାଠି ରହୁଛନ୍ତି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ । ତାଙ୍କୁ ଦେଖା କରିବାକୁ ଆସୁଥିବା ଅଜଣା ବ୍ୟକ୍ତି ଘଣ୍ଟା ଘଣ୍ଟା ଧରି ବରିଷ୍ଠ ଅଧିକାରୀଙ୍କ ରୁମରେ ସାକ୍ଷାତ କରୁଛନ୍ତି । ଜଣେ ନୂଆ କର୍ମଚାରୀ ଏହାକୁ ବିରୋଧ କରିବାରୁ ଅର୍ଚ୍ଚନା ତାଙ୍କୁ ବଦଳି ଧମକ ଦେଇଥିଲେ । ତେବେ କାହା ସାହାସରେ ଏବଂ କାହା ନିର୍ଦ୍ଦେଶରେ ଜେଲ ପରିସର ଭିତରେ ଏଭଳି ଘଟଣା ଘଟୁଛି ତାହା ସାମ୍ନାକୁ ଆସିବା ବାକି ରହିଲା ।