ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଗତକାଲି ମହିଳା ସଂରକ୍ଷଣ ବିଲ ଉପରେ ଗୃହରେ ଆଲୋଚନା କରିବା ବେଳେ ବାକ ଯୁଦ୍ଧ ହୋଇଥିଲା । ଆଜି ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ବିଲକୁ ସମର୍ଥନ କରିବା ସହ କଂଗ୍ରେସ ତରଫରୁ ଆଲୋଚନା ଆରମ୍ଭ କରିଛନ୍ତି । ସୋନିଆଙ୍କ ପରେ ବିଜେପିର ନିଶିକାନ୍ତ ଦୁବେ ସରକାରଙ୍କ ତରଫରୁ କହିବା ପାଇଁ ଛିଡା ହୋଇଥିଲେ । ଦୁବେ କହିବା ମାତ୍ରେ ବିରୋଧୀ ଦଳ ଗୁଡିକ ଆପତ୍ତି ଉଠାଇବା ଆରମ୍ଭ କରିଦେଲେ ଯେ ବିତର୍କ କରିବା ପାଇଁ ବିଜେପି ଦୁବେଙ୍କୁ କାହିଁକି ପ୍ରାର୍ଥୀ କରିଛି ଜଣେ ମହିଳା ସାଂସଦଙ୍କୁ ପ୍ରାର୍ଥୀ କାହିଁକି କରିନାହିଁ ।
ଶାହ ତୁରନ୍ତ ହସ୍ତକ୍ଷେପ କରି ଅଧୀରଙ୍କୁ ପଚାରିଥିଲେ ଯେ କ’ଣ କେବଳ ମହିଳା ମାନେ ମହିଳାଙ୍କ ହିତ ପାଇଁ କହିପାରିବେ ? ମୁଁ କେବଳ ଅଧୀର ରଞ୍ଜନଙ୍କୁ ପଚାରିବାକୁ ଚାହୁଁଛି, କ’ଣ କେବଳ ମହିଳାମାନେ ଅନ୍ୟ ମହିଳାଙ୍କ ସମର୍ଥନରେ ଚିନ୍ତା କରିପାରିବେ? ପୁରୁଷ କାହିଁକି ନୁହେଁ ? ଆପଣ କେଉଁ ସମାଜର କଳ୍ପନା କରୁଛନ୍ତି? ଭାରତରେ ଆମ ସଂସ୍କୃତିରେ ଭାଇମାନେ ପ୍ରଥମେ ମହିଳା ମାନଙ୍କ ପାଇଁ ହିତ ଚିନ୍ତା କରନ୍ତି । ଖାସ କରି ଏହି ପ୍ରସଙ୍ଗ ଗୁଡିକ ବିଷୟରେ ଚିନ୍ତା କରନ୍ତି ବୋଲି ଶାହ କହିଛନ୍ତି । କଂଗ୍ରେସ ତରଫରୁ ଏହି ବିଲ ପ୍ରଥମେ ଆଗତ କରିପାରିନଥିବାରୁ ଅଧୀର ନିଜକୁ ଇର୍ଷାପରାୟଣ ମନେ କରୁଛନ୍ତି କି ବୋଲି ଶାହ ପ୍ରଶ୍ନ କରିଛନ୍ତି । ମଙ୍ଗଳବାର ମଧ୍ୟ ଶାହ ଓ ଅଧୀର ଲୋକସଭାରେ ମୁହାଁମୁହିଁ ହୋଇଥିଲେ ।
ମହିଳା ସଂରକ୍ଷଣ ବିଲ ଆଗତ ହେବା ପରେ ନୂଆ ଗୃହରେ ନିଜର ପ୍ରଥମ ଅଭିଭାଷଣ ରଖି ଅଧୀର ରଞ୍ଜନ ଚୌଧୁରୀ ଦାବି କରିଛନ୍ତି ଯେ ଆଗତ ହୋଇଥିବା ବିଲ ହିଁ କଂଗ୍ରେସ ନେତୃତ୍ୱାଧୀନ ସରକାର ୨୦୧୦ରେ ରାଜ୍ୟସଭାରେ ପାରିତ କରିଥିଲେ ।
ମନମୋହନ ସିଂହଙ୍କ ସମୟରେ ଆଣିଥିବା ଏବଂ ରାଜ୍ୟସଭାରେ ପାରିତ ହୋଇଥିବା ବିଲ ଏବେ ବି ବିଲୋପ ହୋଇନି ବୋଲି ଅଧୀର ରଞ୍ଜନ ଚୌଧୁରୀ ତାଙ୍କ ଭାଷଣରେ ଦାବି କରିଛନ୍ତି । ତେବେ ତାଙ୍କ ମନ୍ତବ୍ୟକୁ ଟ୍ରେଜେରୀ ବେଞ୍ଚରୁ ତୁରନ୍ତ ବିରୋଧ କରାଯାଇଥିଲା । ଗୃହମନ୍ତ୍ରୀ ଅମିତ ଶାହ ତୁରନ୍ତ ଅଧୀରଙ୍କ ମନ୍ତବ୍ୟକୁ ଖଣ୍ଡନ କରି କହିଥିଲେ ଯେ, ରାଜ୍ୟସଭାରେ ପାରିତ ହୋଇଥିବା ବିଲ ପଞ୍ଚଦଶ ଲୋକସଭାରେ ବାତିଲ ହୋଇଯାଇଛି ।