ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଇଂରାଜୀ ନାମ ‘ଇଣ୍ଡିଆ’ ନୁହେଁ କେବଳ ଭାରତ ନାମ ରେ ଜଣାଯିବ କି ଦେଶ ? ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି । ଜି-୨୦ ସମ୍ମିଳନୀରେ ବିଶ୍ୱନେତାଙ୍କୁ ନିମନ୍ତ୍ରଣ କରିବା ଲାଗି ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରେସିଡେଣ୍ଟ ନିମନ୍ତ୍ରଣ ପତ୍ରକୁ ନେଇ ତର୍କ ବିତର୍କ ଚାଲିଛି । ସେଥିରେ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ଲେଖାଯିବା ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖାଯାଇଛି । ଏହାର ଅର୍ଥ ଦେଶର ଇଂରାଜୀ ନାମକୁ ବ୍ୟବହାର କରାଯିବ ନାହିଁ । ତେବେ ଆଗାମୀ ଦିନରେ ଦେଶ କେବଳ ଭାରତ ନାଁରେ ଜଣାଯିବ ବୋଲି ଚର୍ଚ୍ଚା ହେଉଛି ।
ଆସନ୍ତା ୯ ଓ ୧୦ ତାରିଖ ଭାରତ ଅଧ୍ୟକ୍ଷତାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ଯୋଗ ଦେବାକୁ ଯାଉଛନ୍ତି ଅନେକ ବିଶ୍ୱ ନେତା । ଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ସାମିଲ ଅଛନ୍ତି । ତେବେ ସେପ୍ଟେମ୍ବର ୯ ତାରିଖରେ ରାତ୍ରି ଭୋଜନ ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଜି-୨୦ ବିଦେଶୀ ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଛି । ତେବେ କୌଣସି ସରକାରୀ କାର୍ଯ୍ୟକ୍ରମରେ ପ୍ରଥମ ଥର ଲାଗି ‘ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖାଯାଇଛି । ଏହା ନାଁ ପରିବର୍ତ୍ତନର ଏକ ବଡ ସଂକେତ । ତେବେ କିଛି ଜଣ ଏହାର ସପକ୍ଷରେ ଥିବାବେଳେ କିଛି ବିପକ୍ଷରେ ବି ମଧ୍ୟ ଅଛନ୍ତି ।