ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସରକାର ଓ ବିରୋଧୀ ହେଲେ ମୁହାଁମୁହିଁ । ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜନୈତିକ ମାହୋଲ ବି ସରଗରମ । ସାରା ରାଜ୍ୟ ବୁଲୁଛନ୍ତି ସଚିବ । ହେଲିକପ୍ଟରରେ ଗସ୍ତ କରୁଛନ୍ତି ଜିଲ୍ଲା ରୁ ଜିଲ୍ଲା । ଯୁଆଡେ ଗଲେ ରାଜନେତା ମାନେ ସୁବ୍ୟବସ୍ଥା କରୁଛନ୍ତି । ହେଲେ ଏହାକୁ ନେଇ ତେଜି ଉଠୁଛି ବିଜେପି ଓ କଂଗ୍ରେସ ।
ଏହି ପ୍ରସଙ୍ଗକୁ ଆଜି କଡା ସମାଲୋଚନା କରିଛନ୍ତି , କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ଏଠି ଚାଲିଛି ଅଫିସରଙ୍କ ରାଜ । ଲୋକଙ୍କ ଅଭିଯୋଗ ଶୁଣିଲେ ବି ମନ୍ତ୍ରୀ କିଛି କାର୍ଯ୍ୟ କରିପାରିବେ ନାହିଁ । କାରଣ ଅଫିସର ଶୁଣିବେନି ମନ୍ତ୍ରୀଙ୍କ କଥା । ୫ଟି ସଚିବ ଗଲେ ତାଙ୍କ ସବୁ କଥା ସମସ୍ତେ ଶୁଣୁଛନ୍ତି । ତେଣୁ ମନ୍ତ୍ରୀଙ୍କ କଥା ପଚାରେ କିଏ ? ଶ୍ରୀ ମିଶ୍ର ଏହା ମଧ୍ୟ କହିଛନ୍ତି ଯେ, ଯଦି ମନ୍ତ୍ରୀ ବିଧାୟକ ସଚିବଙ୍କ ତମ୍ବୁ ଟାଣିବେ , ଚେୟାର ବୋହିବେ, ପିଅନ ଭଳି କାମ କରିବେ ଏବଂ ଚାକର ଙ୍କ ଚାକର ହେବେ ସେଠି ତାଙ୍କ କଥା କିଏ ଶୁଣିବ ।
ଅନ୍ୟପକ୍ଷରେ କଂଗ୍ରେସ ନେତାଙ୍କର ଏଭଳି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି । ସରକାର ଲୋକଙ୍କ ପାଖରେ ପହଞ୍ଚି ତାଙ୍କ ଦୁଃଖ ବୁଝିଛନ୍ତି । ୫ଟି ସଚିବ ବୁଲି ଗ୍ରୀଭାନ୍ସ କରିପାରିବେ । ଆଇନରେ ଏହି ବ୍ୟବସ୍ଥା ଅଛି । ବିଜେଡି ବିଧାୟକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ସାରା ଓଡିଶା ବୁଲିପାରିବେ ନାହିଁ । ଏଣୁ ୫ଟି ସଚିବ ସରକାରୀ କାର୍ଯ୍ୟକ୍ରମରେ ଯାଉଛନ୍ତି । ଗୋଟିଏ ଜିଲ୍ଲା ଦୁଇ ଦିନରେ ସାରିବେ । ତେଣୁ ହେଲିକପ୍ଟରରେ ତ ଯିବେ । ସଚିବ ଗସ୍ତ କରି ଲୋକଙ୍କ ଦୁଃଖ ସୁଖ ବୁଝି ସରକାରଙ୍କୁ ଜଣାଉଛନ୍ତି । ତେଣୁ କ’ଣ ଅସୁବିଧା ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ।