ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ୨୦୨୪ ନିର୍ବାଚନକୁ ନେଇ ଭାରତର ତିନି ରାଜନୈତିକ ଦଳ ମଧ୍ୟରେ ପ୍ରତ୍ୟେକ ସମୟରେ କଥା କଟାକଟି ଚାଲିଛି । ଏତିକି ବେଳେ ଆଉ ଏକ ନୂଆ ପ୍ରସଙ୍ଗ ସାମ୍ନାକୁ ଆସିଛି । ଚୀନ ମାନଚିତ୍ରକୁ ନେଇ ଭାରତରେ ଆରମ୍ଭ ହୋଇଛି ବିବାଦ । ସୋମବାର ଦିନ ଚୀନର ପ୍ରାକୃତିକ ସମ୍ପଦ ମନ୍ତ୍ରାଳୟ ଦ୍ୱାରାଏକ ନୂଆ ମାନଚିତ୍ର ଦର୍ଶାଯାଇଛି । ସେଥିରେ ଭାରତର ଅରୁଣାଚଳପ୍ରଦେଶକୁ ନିଜର ଅଞ୍ଚଳ ଦକ୍ଷିଣ ତିଦ୍ଦତ ବୋଲି ଦର୍ଶାଇଛି ଚୀନ । କେବଳ ଅରୁଣାଚଳପ୍ରଦେଶ ନୁହେଁ , ଅକ୍ସାଇ, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ ସାଗରକୁ ବି ଚୀନ ନୂଆ ମାନଚିତ୍ରରେ ସ୍ଥାନିତ କରିଛି । ଏନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି, ଏହା ଏକ ଗମ୍ଭୀର ବିଷୟ । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତାଙ୍କ ଉତ୍ତର ଦେବା ଉଚିତ । ହେଲେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଗୋଟିଏ ଇଞ୍ଚ ଜମି ଚୀନ ନେଇ ନାହିଁ ।
ସୋମବାର ଦିନ ସର୍ଭେଇଙ୍ଗ ଆଣ୍ଡ ମ୍ୟାପିଂ ପବ୍ଲିସିଟି ଡେ ଆଣ୍ଡ ଦି ନେସନାଲ ମ୍ୟାପିଂ ଆୱାରନେସ ପବ୍ଲିସିଟି ୱିକ ଅବସରରେ ଚୀନ ଏହା ଜାରି କରିଛି । ତେବେ ଚୀନର ଏହି ଦାବିକୁ ଭାରତ ପ୍ରତ୍ୟାଖ୍ୟାନ କରିଛି । ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର , ଅରିନ୍ଦମ ବାଗଚି କହିଛନ୍ତି, ଚୀନ ପ୍ରଥମ ଥର ପାଇଁ ଏଭଳି ଉଦ୍ୟମ କରି ନାହିଁ । ବାରମ୍ବାର ଚୀନ ଏଭଳି ଦାବି ରଖିଛି । କିନ୍ତୁ ଆମେ ଏହାକୁ ପ୍ରତ୍ୟାଖ୍ୟାନ କରୁଛୁ । ତେବେ ଏହି ପ୍ରସଙ୍ଗରେ ଜବାବ ରଖିଛନ୍ତି , ଭାରତୀୟ ବୈଦେଶିକ ମନ୍ତ୍ରାଳୟ । କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍ଗର କହିଛନ୍ତି, ଭାରତ ଅଞ୍ଚଳକୁ ନିଜ ଅଞ୍ଚଳ ଦର୍ଶାଇବା ଚୀନର ପୁରୁଣା ଅଭ୍ୟାସ । ହେଲେ ଏଥିରେ କୌଣସି ସତ୍ୟତା ନାହିଁ, ଭାରତର ସୀମା ସୁରକ୍ଷିତ ଅଛି । ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଭାରତ ସାର୍ବଭୌମତା ସହ କେବେ ସାଲିସ କରିବ ନାହିଁ ।