ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣା ତଦନ୍ତର ପ୍ରାଥମିକ ରିପୋର୍ଟ ଭୁବନେଶ୍ୱର ସ୍ୱତନ୍ତ୍ର ଅଦାଲତକୁ ପ୍ରଦାନ କଲା ସିବିଆଇ । ପୂର୍ବରୁ ଆଲୋଚନା ନ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଏଥିରେ ଉଲ୍ଲେଖ ରହିଛି । ପ୍ରଥମତଃ ଦୁର୍ଘଟଣା ପୂର୍ବରୁ ଗେଟ ନିକଟରେ ଯେଉଁ ମରାମତି କାର୍ଯ୍ୟ ହୋଇଥିଲା ସେଥିପାଇଁ ଉପରିସ୍ଥ ଅଧିକାରୀ ଙ୍କ ନିକଟରୁ କୌଣସି ବିଧିବଦ୍ଧ ଅନୁମତି ମିଳି ନଥିଲା । ଲେଭଲ କ୍ରସିଂରେ ମରାମତି କାର୍ଯ୍ୟ ସିନିଅର ଡିଭିଜନାଲ ଆଣ୍ଡ ଟେଲିକ ଇଞ୍ଜିନିୟରଙ୍କ ଅନୁମତି ବିନା କରାଯାଇଥିଲା । ମରାମତିରେ ସର୍କିଟ ଡାଏଗ୍ରାମ ମଧ୍ୟ ଠିକ ନଥିଲା । ଯେଉଁ ମରାମତି କାର୍ଯ୍ୟ ଗେଟ ନମ୍ବର ୯୪ରେ କରାଯାଇଥିଲା ସେଥିପାଇଁ ଗେଟ ନମ୍ବର ୭୦ର ସର୍କିଟ ଡାଏଗ୍ରାମ ବ୍ୟବହାର କରାଯାଇଥିଲା ।
ଏନେଇ ସିବିଆଇ ତା’ର ରିପୋର୍ଟରେ ଅଭିଯୋଗ ଆଣିଥିବା ବେଳେ ସିଗନାଲ ଇନଚାର୍ଜ ଇଞ୍ଜିନିଅର ଅରୁଣ କୁମାର ମହାନ୍ତ ଏହାକୁ ଖଣ୍ଡନ କରିଛନ୍ତି । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଠିକ ଭାବରେ ଗେଟ ନମ୍ବର ୯୪ କାମ କରୁନଥିଲା । ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ସେପଟେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ସେସବୁ ର ସୁପରଭିଜନ ଅନ୍ୟ ଅଧିକାରୀ କରୁଥିଲେ ବୋଲି ସେ ଜଣାଇଥିଲେ । ଏବେ ସିବିଆଇ ରିପୋର୍ଟରେ ଏହା ଉଲ୍ଲେଖ ଥିବା ଗଣମାଧ୍ୟମ ପ୍ରକାଶ କରିଛି ।