ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଫିସ ଦ୍ୱାରା କରାଯାଇଥିବା ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ୫-ଟି ସଚିବ । ସମୀକ୍ଷା ବେଳେ ଜନ ଅଭିଯୋଗ ଶୁଣାଣିକୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ବିଭାଗ, ଜିିଲ୍ଲା କର୍ତ୍ତୃପକ୍ଷ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏଣିକି ମୋ ସରକାର ଅଧିନରେ ଆସିବ ଜନଅଭିଯୋଗର ଶୁଣାଣି । ଆସନ୍ତାମାସଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଲୋକଙ୍କୁ ଫୋନ କରାଯାଇ ସେମାନଙ୍କ ସମସ୍ୟାର କିପରି ସମାଧାନ କରାଯାଉଛି, ସେ ସମ୍ପର୍କରେ ମତାମତ ନିଆଯିବ । ମୁଖ୍ୟମନ୍ତ୍ରୀ କହିଲେ ଯେ ଜନ ଅଭିଯୋଗ ଶୁଣାଣି ମୋ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ମୁଁ ଚାହେଁ ଯେ ସବୁ ବିଭାଗ ଓ ଜିଲ୍ଲା ପ୍ରଶାସନ ଲୋକଙ୍କ ଅଭିଯୋଗ, ଅସୁବିଧାକୁ ସମ୍ବେଦନଶୀଳ ହୋଇ ଶୁଣିବା ସହିତ ଶୀଘ୍ର ସମାଧାନ କରିବା ଆବଶ୍ୟକ ।
ସେଥିପାଇଁ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିଭିନ୍ନ ଜିଲ୍ଲାକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛି । ଆମର ଅଧିକାରୀମାନେ ବିଭିନ୍ନ ଜିଲ୍ଲା, ଏପରି କି ବ୍ଲକ୍ ସ୍ତରକୁ ଯାଇ ଅଭିଯୋଗ ଶୁଣାଣି କରୁଛନ୍ତି ଏବଂ ଏହିସବୁ କାର୍ଯ୍ୟକ୍ରମରୁ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଯାଚିକା ଗ୍ରହଣ କରାଯାଇଛି। ମୁଁ ଆଶା କରୁଛି ସମସ୍ତ ବିଭାଗ ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ଶୁଣାଣି କରି ସମାଧାନ କରିବେ।