ରଜରେ ତାତିଛି ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ବଢିଛି ପାରଦ । ଫଳରେ ସାରା ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି । ଏପଟେ ଗ୍ରୀଷ୍ମପ୍ରବାହକୁ ନେଇ ପୁଣି ସତର୍କ କରିିଛି ପାଣିପାଗ ବିଭାଗ । ସାରା ଓଡ଼ିଶାରେ ଆଉ ୪ରୁ ୫ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଆଜି ପାଇଁ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୭ ତାରିଖ ପାଇଁ ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଜି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, କଟକ, ଖୋର୍ଦ୍ଧା, କଳାହାଣ୍ଡି, ଅନଗୁଳ, ଦେବଗଡ଼ ଓ ବୌଦ୍ଧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାଛଡ଼ା ୫ ଟି ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ସେହପରି ୧୭ ତାରିଖ ପାଇଁ ୧୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଗତକାଲି ୩ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା । ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା ।
ଝାରସୁଗୁଡ଼ାର ସର୍ବୋଚ୍ଚ ତାପମାତ୍ରା ୪୪.୮ ଡିଗ୍ରୀ ରହିଥିବା ବେଳେ ହୀରାକୁଦର ସର୍ବୋଚ୍ଚ ତାପମାତ୍ରା ୪୪.୧ ଓ ସୁନ୍ଦରଗଡ଼ର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି । ସମ୍ବଲପୁର, ସୋନପୁର, ରାଉରକେଲା, ବାରିପଦାର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା । ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ରହଥିଲା ୪୨.୪ ଡିଗ୍ରୀ ସେଲସିୟସ । ଗୁରୁବାର ୨୫ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।