ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ରଜ ସଂକ୍ରାନ୍ତି । ତିନି ଦିନିଆ ରଜ ଉତ୍ସବର ପ୍ରମୁଖ ଦିନ । ରଜ ସଂକ୍ରାନ୍ତିରେ ଗାଁ ଆମ୍ବତୋଟାରେ ସକାଳୁ ସକାଳୁ ଶୁଭୁଛି ରଜଗୀତ । ସହରର ବିଭିନ୍ନ ପାର୍କରେ ଦୋଳି, ପାନ ଓ ପୀଠା ଭିତରେ ରଜର ଆସର ଜମିଛି । ପରମ୍ପରା ସମ୍ପନ୍ନ ରଜଗୀତରେ ଉତ୍ସବମୁଖର ପୁରପଲ୍ଲୀ । ବିଭିନ୍ନ ସ୍ଥାନରେ ବାଜୁଛି ରଜଗୀତ, ଝିଅ ବୋହୂ ଦୋଳି ଖେଳୁଛନ୍ତି ।
ତା ସହିତ ପୁଚି ଖେଳ, ତାସ୍ ଖେଳ, ଲୁଡୁ ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପାରମ୍ପରିକ ପିଠା, ମିଠା, ପାନ ଏବଂ ଖାଦ୍ୟର ଧାଡି ଧାଡି ଷ୍ଟଲ ଲାଗିଛି । କିଛି କିଛି ପାର୍କରେ ମଧ୍ୟ ଲାଗିଛି ରଜଦୋଳି । ସକାଳୁ ସକାଳୁ ପାର୍କରେ ରଜ ଦୋଳି ଖେଳର ମଜା ନେଉଛନ୍ତି ।
ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ଭୁବନେଶ୍ୱର ଧଉଳିରେ ପାଳିତ ହୋଇଛି ରଜ ମହୋତ୍ସବ । ଏଥିରେ ବିଭିନ୍ନ ପ୍ରତିଯୋଗିତା ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା । କୁନି କୁନି ପିଲାଙ୍କ ନାଚ ଗୀତ ଧଉଳି ରଜ ମହୋତ୍ସବକୁ ଆହୁରି ରଙ୍ଗୀନ କରିଥିଲା । ଦୀର୍ଘ ବର୍ଷ ହେବ ଧଉଳିରେ ରଜ ମହୋତ୍ସବ ପାଳିତ ହୋଇଆସୁଛି । ଆଖପାଖର ପ୍ରାୟ ୫ଟି ପଂଚାୟତର ଲୋକ ଏଠି ମିଳିତ ହୋଇ ରଜ ମହୋତ୍ସବ ଆୟୋଜନ କରୁଛନ୍ତି ।