ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଆଜି କେନ୍ଦ୍ର କ୍ରୀଡ଼଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ରେସଲରମାନଙ୍କ ହୋଇଛି ଆଲୋଚନା । ଉକ୍ତ ଆଲୋଚନାରେ ନିଜର ଦାବି ଉପସ୍ଥାପନା କରିଛନ୍ତି କୁସ୍ତି ଯୋଦ୍ଧା | ସେହି ଦାବିଗୁଡିକ ହେଲା :
-
ଜଣେ ମହିଳା ହୁଅନ୍ତୁ ରେସଲର ଫେଡେରେସନ ସଭାପତି ।
-
ବର୍ତ୍ତମାନର ସଭାପତି ବ୍ରିଜ ଭୂଷଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ ସଂଘରେ ସାମିଲ କରାନ ଯାଉ ।
-
ରେସଲର ସଂଘ ଲାଗି ମୁକ୍ତ ଓ ଅବାଧ ନିର୍ବାଚନ ହେଉ ।
-
ଗତ ଏପ୍ରିଲ ୨୮ରେ ଯନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ନେଇ ରେସଲରଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରାଯାଉ ।
-
ଏହା ସହ ରେସଲର ଫେଡେରେସନ ସଭାପତି ବ୍ରିଜ ଭୂଷଣଙ୍କୁ ଗିରଫ କରାଯାଉ ।
ଆନ୍ଦୋଳନରେ କୁସ୍ତିଯୋଦ୍ଧାଙ୍କ ନେତୃତ୍ବ ନେଇଥିବା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଚାଷୀ ନେତା ରାକେଶ ଟିକାଏତ ଆଜି ଅନୁରାଗଙ୍କ ସହ ଆଲୋଚନା କରିଛନ୍ତି । ରେସଲରମାନଙ୍କ ବିଭିନ୍ନ ଦାବି ପ୍ରସଙ୍ଗରେ ଆଲୋଚନା କରିବା ଲାଗି କେନ୍ଦ୍ର ସରକାର ପ୍ରସ୍ତୁତ ବୋଲି କହିଛନ୍ତି ଅନୁରାଗ । ଗତ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ରେସଲରମାନେ ଆଲୋଚନା କରିଥିଲେ ।
ଏହି ସାକ୍ଷାତ ପରେ ପୁନିଆ କହିଥିଲେ- ରେସଲର ସଂଘ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନର ଅନ୍ତ ଘଟିନାହିଁ । ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରହିବ । କେନ୍ଦ୍ରମନ୍ତ୍ରୀ ଶାହଙ୍କ ସହ ଆଲୋଚନା କରିଥିଲେ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ସଙ୍ଗୀତ ଫୋଗଟ ପ୍ରମୁଖ । ସେପଟେ ବିକେୟୁ ନେତା ରାକେଶ ଟିକାଏତ କହିଥିଲେ- ରେସଲରମାନଙ୍କ ଆନ୍ଦୋଳନକୁ ବିକେୟୁର ସମର୍ଥନ ଜାରି ରହିବ । ଗତ ଶୁକ୍ରବାର କୁରୁକ୍ଷେତ୍ରରେ ଚାଷୀଙ୍କ ମହାପଞ୍ଚାୟତ ହୋଇଥିଲା ଏବଂ ବ୍ରିଜ ଭୂଷଣ ଇସ୍ତଫା ଦିଅନ୍ତୁ ବୋଲି ଦାବି କରାଯାଇଥିଲା ।
REPORT BY BISWAJIT JATIN PATRA