ସନଷ୍ଟାର ଟିଭି ବ୍ୟୁରୋ
ଆରମ୍ଭ ହେଲା ନୂଆ ଯୋଜନା “ମୋ-ଘର”
“ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା “- ଏହି ପ୍ରତିଶ୍ରୁତିକୁ ପୂରଣ କରି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ନୂତନ ଯୋଜନା ‘ମୋ ଘର’କୁ ଅନୁମୋଦନ କରିଛନ୍ତି |ବର୍ତ୍ତମାନର ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ଚୟନ ମାନଦଣ୍ଡ ଦ୍ବାରା ବାଦ୍ ପଡିଥିବା ପରିବାର କିମ୍ବା ସ୍ବଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟ ଧାର୍ଯ୍ୟ କାରଣରୁ ବଞ୍ଚିତ ଥିବା ପରିବାର ଏହି ନୂତନ ଯୋଜନାରେ ଉପକୃତ ହୋଇପାରିବେ । ସେହିପରି ବିଗତ ବର୍ଷରେ ସ୍ଵଳ୍ପ ଗୃହ ନିର୍ମାଣ ସହାୟତା ପାଇଥିବା ପରିବାର ଏହି ଯୋଜନା ମାଧ୍ୟମରେ ନିଜ ଗୃହର ଉନ୍ନତିକରଣ ଅଥବା ସମ୍ପ୍ରସାରଣ କରିପାରିବେ ।
ଯୋଜନାର ବୈଶିଷ୍ଟ୍ୟ:
ଆବେଦନକାରୀଙ୍କୁ ସରକାରଙ୍କ ସବସିଡି ଥିବା ଗୃହ ଋଣ ମିଳିଥାଏ । ସବସିଡି ରାଶି ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କର ନିଜସ୍ବ ପାଣ୍ଠିରୁ ପ୍ରଦାନ କରାଯାଇଥାଏ ।
-
ଏହି ଯୋଜନାରେ ନୂଆ ଘର ନିର୍ମାଣ କିମ୍ବା ବର୍ତ୍ତମାନ ଗୃହର ସମ୍ପ୍ରସାରଣ / ଉନ୍ନତିକରଣ / ସମ୍ପୂର୍ଣ୍ଣକରଣ କରାଯାଇଥାଏ ।
ଏହି ଯୋଜନାରେ ହିତାଧ୍ଵରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇଥାଆନ୍ତି । ପ୍ରଥମ ବର୍ଷର ରିହାତି ଅବଧୂକୁ ବାଦ ଦେଇ ପରବର୍ତୀ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାକୁ ହୁଏ । ଏହି ଯୋଜନାରେ ୧ ଲକ୍ଷ ୧.୫ ଲକ୍ଷ, ୨ଲକ୍ଷ ଓ ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ରହିଛି,ଯାହା ମଧ୍ୟରୁ ଆବେଦନକାରୀ କୌଣସି ଗୋଟିଏ ପ୍ରକାରର ଋଣକୁ ବାଛିଥାଆନ୍ତି ।