ସନ୍ଷ୍ଟାର ଟିଭି ବ୍ୟୁରୋ
ଦେଶରେ କୃଷି ଆନ୍ଦୋଳନ ୨୨ ଦିନରେ ପହଞ୍ଚିଥିବା ବେଳେ କୃଷକମାନେ ସେଭଳି ବିକ୍ଷୋଭରେ ଅଡି ବସିଛନ୍ତି । ସେପଟେ ଏତେ ଦିନ ଧରି ଅନ୍ଦୋଳନ ହେଉଥିବାରୁ ଦିଲ୍ଲୀରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି । ତେବେ ଅନେକ ବିଚାର ବିମର୍ଷ ପରେ ଆଜି ଚାଷୀଙ୍କୁ ଚିଠି ଲେଖିଛନ୍ତି ନରେନ୍ଦ୍ର ସିଂ ତୋମାର । ୮ ପୃଷ୍ଠାର ଏହି ଚିଠିରେ MSP ଜାରି ଅଛି, ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି । କୃଷି ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ୬ ବର୍ଷରେ MSP ଜରିଆରେ ଦୁଇଗୁଣା ଅର୍ଥ ଦିଆଯାଇଛି । କୃଷକଙ୍କ ସୁବିଧା ପାଇଁ ମଣ୍ଡି ବ୍ୟବସ୍ଥା ଅଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି ।
କୃଷି ଆଇନକୁ ନେଇ ଅନେକ ଭ୍ରମ ସୃଷ୍ଟି କରାଯାଉଛି, ତେଣୁ ଚାଷୀଙ୍କୁ ଅନୁରୋଧ ଯେ, ସେମାନେ ଏଥିରେ ଭ୍ରମିତ ନ ହୁଅନ୍ତୁ । କୃଷକମାନେ ମିଥ୍ୟାଚାରୀଙ୍କୁ ଚିହ୍ନି ତାଙ୍କୁ ଖାରଜ କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । କୃଷକଙ୍କ ଜମି ଉପରେ କୌଣସି ପ୍ରକାର ବିପଦ ନାହିଁ । ଏହି ଏଗ୍ରିମେଣ୍ଟ ଫସଲ ପାଇଁ ହେବ, କିନ୍ତୁ ଜମି ପାଇଁ ନୁହେଁ । କୃଷକଙ୍କୁ ନିର୍ଦ୍ଧାରିତ ସମୟରେ ଦେୟ ମଧ୍ୟ ପ୍ରଦାନ କରାଯିବ ଏବଂ ନିର୍ଦ୍ଧାରିତ ସମୟରେ ଦେୟ ନ ଦେଲେ ଜୋରିମନା ଲାଗୁହେବ ବୋଲି କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ।