ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କିଟ୍ ଓ କିସ୍ ପକ୍ଷରୁ ରବିବାର ଏକ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି । ଏହି ମିନି ମାରାଥନ୍ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ୩୦ ଜିଲ୍ଲା ସଦର ମହକୁମାକୁ ମିଶାଇ ୩୫ଟି ସ୍ଥାନରେ ଆୟୋଜିତ ହୋଇଥିବାବେଳେ ଭାରତର ୨୫ଟି ସହର ଓ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, କ୍ୟାମରୁନ୍, କେନିଆ ଏବଂ ଜିମ୍ବାୱେ ଆଦି ବିଶ୍ୱର ୨୫ଟି ଦେଶରେ ଅନୁଷ୍ଠିତ ହୋଇଥିଲା । ଏହି ମିନି ମାରାଥନ୍ରେ ଭାରତ ସମେତ ସମଗ୍ର ବିଶ୍ୱରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଅଂଶ ଗ୍ରହଣ କରିଥିଲେ । ଏଥିପାଇଁ କିଟ୍ ଓ କିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । କେବଳ ଭୁବନେଶ୍ୱରରେ ୨୦ ହଜାର ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍ ଓ ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ ।ଦୁଇ କିଲୋମିଟର ପର୍ଯ୍ୟନ୍ତ ଅଂଶଗ୍ରହଣକାରୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । କିଟ୍ ଓ କିସ୍ ବହୁ ବର୍ଷଧରି ମିନି ମାରାଥନ୍ ଆୟୋଜନ କରିଆସୁଛି । କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ଏହି ମିନି ମାରାଥନ୍ ସ୍ଥଗିତ ରହିଥିଲା । ଚଳିତ ବର୍ଷ କିଟ୍ର ୨୫ ବର୍ଷ ପୂର୍ତ୍ତି ଅବସରରେ କିଟ୍ ରୌପ୍ୟ ଜୟନ୍ତୀ ପାଳନ କରୁଥିବାରୁ ଏହି ସ୍ୱତନ୍ତ୍ର ମିନି ମାରାଥନ୍ର ଆୟୋଜନ କରାଯାଇଥିଲା । ‘ସମସ୍ତଙ୍କ ପାଇଁ ଶିକ୍ଷା’ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ମିନି ମାରାଥନ୍ର ଆୟୋଜନ କରାଯାଇଥିଲା । ଆଜି ସକାଳ ୬ଟା ସମୟରେ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାର ହୋଟେଲ୍ ନିକଟରୁ ଏହି ମିନି ମାରାଥନ୍ ଆରମ୍ଭ ହୋଇ ସକାଳ ୭ଟା ସମୟରେ କିଟ୍ କ୍ରିକେଟ୍ ଷ୍ଟାଡିଅମରେ ଶେଷ ହୋଇଥିଲା ।ଏଥିରେ ରଗ୍ବୀ ଇଣ୍ଡିଆ ସଭାପତି ତଥା ବଲିଉଡ୍ ଅଭିନେତା ରାହୁଲ ବୋଷ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଏମ୍ସି ମେୟର ସୁଲୋଚନା ଦାସ୍, ଅଲିମ୍ପିଆନ୍ ଦୂତୀ ଚାନ୍ଦ ଓ ଅନୁରାଧା ବିଶ୍ୱାଳ, ଭାରତର ଦ୍ରୁତ ଧାବକ ଅମିୟ ମଲ୍ଲିକ, ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଡିଆଇଜି ଅନିରୁଦ୍ଧ ସିଂ, ଓଡ଼ିଶା ରଗ୍ବୀ ଆସୋସିଏସନ୍ ସଭାପତି ପ୍ରିୟଦର୍ଶୀ ମିଶ୍ର, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ମିନି ମାରାଥନ୍ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ ।
ରିପୋର୍ଟ:ଦୀପା ପ୍ରଧାନ