ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ଘଟଣା ଶୁଣି ଆପୋଲୋ ହସ୍ପିଟାଲରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ହସ୍ପିଟାଲରେ ନବ ଦାସଙ୍କ ପୁଅଙ୍କୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ | ଧର୍ଯ୍ୟ ଓ ସାହାସ ରଖି ପରିସ୍ଥିତିକୁ ସାମ୍ନା କରିବାକୁ ପରିବାରଲୋକଙ୍କୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |
ସୂଚନାଅନୁଯାୟୀ , ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିର ASI ଗୋପାଳକୃଷ୍ଣ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାରିଥିଲେ । ଫୁଲମାଳ ପିନ୍ଧାଇ ସ୍ବାଗତ କରିବା ପରେ ଗୋପାଳକୃଷ୍ଣ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଲାଇଥିଲେ । ବ୍ରଜରାଜନଗରର ଏକ ସାଧାରଣ ସଭାରେ ଯୋଗ ଦେବାକୁ ଯାଇଥିବା ବେଳେ ଗୁଳି ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଝାରସୁଗୁଡ଼ାରେ ଡିଏଚଏଚ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରାଯାଇଥିଲା ।
ସେପଟେ ଏୟାରପୋର୍ଟରୁ ଆପୋଲୋ ହସ୍ପିଟାଲ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଥିଲା | କମିଶନରେଟ ପୋଲିସ ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନେବାକୁ ଗ୍ରୀନ କରିଡର କରାଯିବା ସହ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଆପୋଲୋ ହସ୍ପିଟାଲରେ ସ୍ବାସ୍ଥ୍ୟମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି ।
ତେବେ କଣପାଇଁ ଏବଂ କିଭଳି ଭାବେ ଏଭଳି ଘଟଣା ଘଟିଲା ଏହାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ |
ରିପୋର୍ଟ:ଦୀପା ପ୍ରଧାନ