ସନ୍ଷ୍ଟାର ଟିଭି ବ୍ୟୁରୋ
ୱାସିଂଟନ : ତିନି ତିନିଟି ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଟୀକା ଅନୁମତି ହାସଲ କରିଥିବାବେଳେ ଏବେ ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ମଡର୍ଣ୍ଣା କମ୍ପାନି ଦ୍ବାରା ବିକଶିତ ଟୀକା ଖୁବ୍ ଶୀଘ୍ର ଆମେରିକାର ସ୍ବୀକୃତି ମିଳିବାକୁ ଥିବା ବେଳେ ରୁଷୀୟ ଟୀକା ସ୍ପୁଟନିକ୍-ଭି ମନୁଷ୍ୟ ଶରୀରରେ ଦୀର୍ଘ ଦୁଇ ବର୍ଷ ଯାଏ ରୋଗପ୍ରତିରୋଧକତା ବିକଶିତ କରିପାରିବ ବୋଲି ଜଣାଯାଇଛି। ତେବେ ଫାଇଜର ଓ ଅନ୍ୟାନ୍ୟ ଟୀକା ମାତ୍ର ୪ରୁ ୬ ମାସ ଯାଏ ରୋଗପ୍ରତିରୋଧକତା ସୃଷ୍ଟି କରି ପାରୁଥିବା ବେଳେ ସ୍ପୁଟନିକ୍-ଭି ଦୀର୍ଘ ଦୁଇ ବର୍ଷ ଯାଏ ଶରୀରର ରୋଗପ୍ରତିରୋଧକତା ବିକଶିତ କରିପାରିବ ବୋଲି ଏହାର ନିର୍ମାତା ଗମାଲେଇ ପ୍ରତିଷ୍ଠାନ ପକ୍ଷରୁ ଦାବି କରାଯାଇଛି।
ତେବେ ସ୍ପୁଟନିକ୍-ଭିର ଉପଲବ୍ଧି ଭାରତ ପାଇଁ ଖୁସି ଖବର ଆଣିବ ନିଶ୍ଚୟ। କାରଣ ଫାଇଜର ଟିକାର ଅଧିକ ଦର ଯୋଗୁଁ ସରକାର ଏହାକୁ କିଣିବା ପାଇଁ କୁଣ୍ଠାବୋଧ ପ୍ରକାଶ କରିଥିବା ବେଳେ ସ୍ପୁଟନିକ୍-ଭିର ବ୍ୟବହାରକୁ ଶ୍ରେଷ୍ଠ ବିକଳ୍ପ ଭାବେ ବିଚାର କରାଯାଇପାରେ। ଅନ୍ୟ ଏକ ଘଟଣାକ୍ରମରେ ମଡର୍ଣ୍ଣା ଟୀକାର ଫଳପ୍ରଦତା ଉପରେ ଆମେରିକାର ଖାଦ୍ୟ ଓ ଭେଷଜ ପ୍ରଶାସନ ମଙ୍ଗଳବାର ସନ୍ତୋଷ ଜାହିର କରିଛନ୍ତି। ତେବେ ଏହା ଶୁଣିବାକୁ ମିଳୁଛି ଯେ, ଆଗାମୀ ସପ୍ତାହ ଭିତରେ ଆମେରିକ ଏହାର ବ୍ୟବହାର ନିମନ୍ତେ ସବୁଜ ସଂକେତ ଦେଇପାରେ ।