ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମାନବ ଶବରେ ତିଆରି ହେବ ‘କମ୍ପୋଷ୍ଟ୍’ ବା ଶଢ଼ା ଖତ | ଏଭଳି ନିଷ୍ପତିକୁ ନ୍ୟୁୟର୍କରେ ଅନୁମତି ମିଳିଛି | ‘ବିବିସି’ ରିପୋର୍ଟ ଅନୁସାରେ, ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କ ଶବକୁ ଏବେ ମାଟିରେ ପରିଣତ କରାଯାଇ ପାରିବ। କବର ଦେବା କିମ୍ବା ପୋଡ଼ିବା ଅପେକ୍ଷା ମାନବ ଶବକୁ ଖତରେ ପରିଣତ କରିବା ପରିବେଶ ଅନୁକୂଳ ବିକଳ୍ପ ବୋଲି ଏହି ଆଇନରେ ବିବେଚନା କରାଯାଇଛି। ସୂଚନା ଅନୁଯାୟୀ, ମାନବ ଶବକୁ ଗୋଟାଏ ଆଧାର ମଧ୍ୟରେ କିଛି ସପ୍ତାହ ରଖି ଶଢ଼ାଇ ଦିଆଯାଏ। ଏହି ପ୍ରକ୍ରିୟା ‘ପ୍ରାକୃତିକ ଜୈବ ବିଘଟନ’ ନାମରେ ମଧ୍ୟ ଜଣାଶୁଣା। ୨୦୧୯ରୁ ଆରମ୍ଭ ହୋଇଥିବା ମାନବ ଶବ ଖତ ପ୍ରକ୍ରିୟାକୁ ଆଇନସମ୍ମତ କରିବାରେ ନ୍ୟୁୟର୍କ ହେଉଛି ୬ଷ୍ଠ ଆମେରିକୀୟ ରାଜ୍ୟ।
ଏଥିପାଇଁ ଶବକୁ ସାର୍ଟିଫିକେଟ୍ପ୍ରାପ୍ତ ‘ସିମେଟେରି କର୍ପୋରେସନ୍’କୁ ଦିଆଯିବା ଆବଶ୍ୟକ। ଖତ ପ୍ରକ୍ରିୟାକରଣ ନିମନ୍ତେ ସବୁ ପ୍ରକାର ସୁବିଧା ଶବ ପ୍ରତିଷ୍ଠାନରେ କାଠ ଚୋପି, ଘାସକୁଟା ସହିତ ଗୋଟାଏ ନିବୁଜ ପାତ୍ରରେ ରଖାଯାଏ। କିଛି ଦିନ ଧରି ଏହି ଶବକୁ ବ୍ୟାକ୍ଟେରିଆ ସହାୟତାରେ ଶଢ଼ାଇ ଦିଆଯାଏ। ପ୍ରାୟ ମାସେ ପରେ ଉକ୍ତ ଶବ-ମାଟିରୁ ଉତପ୍ତ କରି ସଂକ୍ରମଣକାରୀ ଅଣୁଜୀବଙ୍କୁ ମାରି ଦିଆଯାଏ। ତା’ପରେ ଉକ୍ତ ମାଟିକୁ ତାଙ୍କ ପ୍ରିୟଜନଙ୍କୁ ହସ୍ତାନ୍ତର କରାଯାଏ। ଏହି ଶବ-ମାଟି ବା ଖତକୁ ବୃକ୍ଷ, ପନିପରିବା ଓ ଫୁଲଗଛ ରୋପଣ ଆଦିରେ ବ୍ୟବହାର କରାଯାଏ।
ତେବେ ମାନବ ଶବ ଖତ କେବଳ ପରିବେଶ ଅନୁକୂଳ ନୁହେଁ, ଶ୍ମଶାନ ପାଇଁ ସ୍ବଳ୍ପ ସ୍ଥାନ ଥିବା ସହରମାନଙ୍କ ପାଇଁ ବି ଏହା ଉତ୍ତମ ହୋଇଥାଏ |
ରିପୋର୍ଟ : ଦୀପା ପ୍ରଧାନ