ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆଜି ବର୍ଷର ଶେଷଦିନ ।ରାତି ପାହିଲେ ବଦଳିଯାଇଥିବ କ୍ୟାଲେଣ୍ଡର । ବିଦାୟ ନେବ ୨୦୨୨ ଆଉ ଆସିବ ନୂଆବର୍ଷ ୨୦୨୩ । କାଳିଆର ଦର୍ଶନ କରି ପୁରୁଣା ବର୍ଷ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନସମାଗମ ହୋଇଛି। ଗତ ୩ ରୁ ୪ ଦିନ ହେବ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଅସଂଖ୍ୟ ଭିଡ ହେଉଥିବା ବେଳେ ଆଜି ବର୍ଷର ଶେଷ ଦିନରେ ବଡ଼ଦାଣ୍ଡ ଜନସମୁଦ୍ର ପାଲଟି ଯାଇଛି। ପ୍ରବଳ ଜନସମାଗମ ପାଇଁ ପୁରୀ ପ୍ରଶାସନ ମଧ୍ୟ ବ୍ୟାପକ ବ୍ୟବସ୍ଥା କରିଛି। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ୟାରିକଡକୁ ମଧ୍ୟ ମରିଚିକୋଟ ଛକରୁ ମାର୍କେଟ୍ ଛକ ଯାଏଁ ସଂପ୍ରସାରଣ କରାଯାଇଛି। ସ୍କୁଲ ଛାତ୍ରୀ ଓ ବରିଷ୍ଠ ନାଗରିକଙ୍କ ପାଇଁ ଅଲଗା ଲାଇନ୍ କରାଯାଇଛି।
ଏହାସହ ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ଫୁଟ ଓସାରରେ ବଡ଼ଦାଣ୍ଡ ମଝିରେ ବାଉଁଶର ବାରିକେଡ୍ କରାଯାଇଛି । ଛାୟାସେଡରେ ଏଲଇଡି ଲଗାଇ ଭକ୍ତଙ୍କ ଜାଣିବା ପାଇଁ ନୀତିକାନ୍ତି ବାବଦରେ ସୂଚନା ଦେବା ବ୍ୟବସ୍ଥା ହୋଇଛି ।ଭିଡ ନିୟନ୍ତ୍ରଣ ପାଇଁ ଆଜିଠୁ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ମାର୍କେଟ ଛକରୁ ଶ୍ରୀନଅର ଯାଏଁ ଉଠାଦୋକାନ ଓ ଅନ୍ୟ ଦୋକାନ ବନ୍ଦ ରଖାଯାଇଛି । ମାର୍କେଟ ଛକ ଓ ମରିଚକୋଟ ଛକ ପାଶ୍ୱର୍ରେ ଯୋତା ଷ୍ଟାଣ୍ଡ ରହିବ ଓ ସେଡରେ ପାଣି ବ୍ୟବସ୍ଥା କରାଯାଇଛି।
ଇଂରାଜୀ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆଜି ରାତି ଗୋଟାଏରୁ ଶ୍ରୀମନ୍ଦିରରେ ଦ୍ବାରଫିଟା ନୀତି ଆରମ୍ଭ ହେବ। ଏଥିପାଇଁ ମହାପ୍ରଭୁଙ୍କର ଆଜି ସଅଳ ପହୁଡ଼ କରାଯିବ। ଆଜି ରାତି ଗୋଟାଏରୁ ଦ୍ବାର ଫିଟା ସହ ମହାପ୍ରଭୁଙ୍କ ଦର୍ଶନ ଓ ନୀତିକାନ୍ତି ଚାଲିବ। ତେଣୁ ଶନିବାର ବିଳମ୍ବିତ ରାତିରୁ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ନେବେ ଭକ୍ତ।ଏଥିରେ ପୁରୀ ସହରର ଟ୍ରାଫିକ ବ୍ୟବସ୍ଥା ଓ ବେଳାଭୂମି ଭିଡ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତାଲବଣିଆ ଓ ଷ୍ଟର୍ଲିଂ ନିକଟରେ କାର ପାର୍କିଂ, ବଡଶଙ୍ଖ ଠାରୁ ଶରଧାବାଲି ଯାଏଁ ଦୁଇ ଚକିଆ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଛି ।
ଏଥିସହିତ, ୩୧ ତାରିଖ ମଧ୍ୟରାତ୍ରରୁ ବଡ଼ଦାଣ୍ଡକୁ ଭାରିଯାନ ପ୍ରବେଶ ନିଷିଦ୍ଧ କରାଯାଇଛି। ମାର୍କେଟ୍ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ୱାନ-ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ତେଣୁ, ଯେଉଁମାନେ ମାର୍କେଟ ଛକରୁ ବାହାରି ସିଂହଦ୍ବାର ଅଭିମୁଖେ ଯିବେ, ସେମାନେ ମନ୍ଦିର ପଛ ପାର୍ଶ୍ବରେ ବୁଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ବାହାରି ମାର୍କେଟ ଛକ ଆଡ଼କୁ ଆସିବେ। ସେପଟେ ନୂଆବର୍ଷକୁ ଦୃଷ୍ଟିରେ ରଖି ହୋଟଲ ମାଲିକ ଓ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ହେଲପ୍ ଲାଇନ ଜାରି କରିଛି ପୁରୀ ପୁଲିସ । ଏଥିସହ ସରକାରଙ୍କ ସମସ୍ତ ନିୟମ ମାନି ଜିରୋ ନାଇଟ ସେଲିବ୍ରେସନ କରିବାକୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।