ସନଷ୍ଟାର ଟିଭି ବ୍ୟୁରୋ
ଭୋପାଳ: ଜୀବନ ଯୁଦ୍ଧରେ ହାରିଗଲା ତନ୍ମୟ । ଦୀର୍ଘ ୪ ଦିନର କସରତ ପରେ ଶେଷରେ ଆଖି ବୁଝିଲା ୮ ବର୍ଷର ନିରୀହ ନାବାଳ ତନ୍ମୟ | ଆଜି ସକାଳ ପ୍ରାୟ ୫ ଟା ୩୦ ସମୟରେ ଉଦ୍ଧାରକାରୀ ଦଳ ତନ୍ମୟକୁ ବାହାରକୁ ବାହାର କରିଥିଲେ । ଉଦ୍ଧାର ପରେ ଜଣାଯାଇଥିଲା ତନ୍ମୟ ମୃତ୍ୟୁବରଣ କରିଛି । ତନ୍ମୟର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ।
ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡାଭି ଗାଁର ସୁନୀଲ ଦିୟାବର, ୬ ତାରିଖ ସନ୍ଧ୍ୟାରେ ୮ ବର୍ଷର ପୁଅ ତନ୍ମୟକୁ ନେଇ ବିଲକୁ ଯାଇଥିଲେ । ଏହି ସମୟରେ ତନ୍ମୟ ବୋରୱେଲ ଗାତକୁ ଚାହୁଁଥିବା ବେଳ ଅଚାନକ୍ ଗାତରେ ପଡ଼ିଯାଇଥିଲେ ।ଏହାପରେ ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ । ଉଦ୍ଧାରକାରୀ ଦଳ ଓ ଡାକ୍ତରୀ ଦଳ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ତେବେ ୪ଦିନ ହେବ ୪ଶହ ଫୁଟ ବୋରଓ୍ବେଲରେ ଫଶିଥିଲା କଅଁଳ ଜୀବନ । ପ୍ରାୟ ୫୩ ଫୁଟ ଭିତରେ ତନ୍ମୟ ଅଟକି ରହିଥିଲା । ୪ଦିନ ହେବ ଏନଡିଆରଏଫ୍ , ଏସଡିଆରଏଫ ପକ୍ଷରୁ ଲଗାତର ଭାବେ ରେସ୍କ୍ୟୁ ଅପରେସନ ଜାରି ରଖିଥିଲେ । ୪୪ ଫୁଟ୍ ରାମ୍ପ ଖନନର କାମ ଶେଷ ହୋଇଥିବା ବେଳେ ବଡ଼ ଚଟାଣ ପଡ଼ିବାରୁ ଖନନରେ ବାଧା ଉପୁଜିଥିଲା । ପାଇପ ଯୋଗେ ବୋରୱେଲର ମୁହଁପଟୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଥିଲା ।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଶେଷ ଥରପାଇଁ ତା ବାପାଙ୍କ ସହ ତନ୍ମୟ କଥା ହୋଇଥିଲା । ଏହାପରେ ସଜ୍ଞାହୀନ ହୋଇଯାଇଥିଲା ତନ୍ମୟ । କୌଣସି ପ୍ରକାରର କାର୍ଯ୍ୟକଳାପ ସିସିଟିଭିରେ ନଜର ଆସିନଥିଲା। ଯାହା ଫଳରେ ଜୀବନ ବାଜିରେ ହାରିଗଲା ତନ୍ମୟ ।
ରିପୋର୍ଟ: ଦୀପା ପ୍ରଧାନ