ସନ୍ଷ୍ଟାର ଟିଭି ବ୍ୟୁରୋ
ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରିବା ଏକ କଳା। ଯାହା ସମସ୍ତଙ୍କ ଦ୍ବାରା ସମ୍ଭବ ହୋଇପାରି ନ ଥାଏ। ତେବେ ଜଣେ ମାତ୍ର ୧ ଘଣ୍ଟା ମଧ୍ୟରେ କେତେ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିପାରିବ ? ଏତି ବେଶୀରେ ୫ରୁ ୭ ପ୍ରକାର । ହେଲେ ତାମିଲନାଡୁର ଏସ.ଏନ. ଲକ୍ଷ୍ମୀ ସାଇ ନାମକ ଜଣେ ୧୦ ବର୍ଷର କୁନି ଝିଅ ଘଣ୍ଟାଏ ଭିତରେ ୪୬ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଚର୍ଚ୍ଚା ରେ ଆସିଛନ୍ତି । ଅତି କମ୍ ସମୟ ଭିତରେ ଏତେ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିବାର କଳା ପାଇଁ ତାଙ୍କ ନାମକୁ ୟୁନିକୋ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ୍ସରେ ସ୍ଥାନିତ କରାଯାଇଛି। ଚେନ୍ନାଇରେ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ମାତ୍ର ୫୮ ମିନିଟରେ ୪୬ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ଏହି କଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୂଚନା ମୁତାବକ ଲକ୍ଷ୍ମୀ କହିଛନ୍ତି, ଏହି ସଫଳତାର ଶ୍ରେୟ ସେ ତାଙ୍କ ମା’ଙ୍କୁ ଦେଉଛନ୍ତି। କାରଣ ତାଙ୍କ ମା’ ତାଙ୍କୁ ଖାଦ୍ୟ ପ୍ରସ୍ତୁତ କରିବା ଶିଖାଇଛନ୍ତି। ଏହି ସଫଳତା ପାଇଁ ସେ ବହୁତ ଖୁସି ଅଛନ୍ତି ଏବଂ ନିଜକୁ ଗର୍ବିତ ମନେ କରୁଛନ୍ତି ବୋଲି ଲକ୍ଷ୍ମୀ କହିଛନ୍ତି। ଲକ୍ଷ୍ମୀଙ୍କ ମା’ବାପା ଜାଣିବାକୁ ପାଇଥିଲେ ଯେ, ଏହି ରେକର୍ଡ ପୂର୍ବରୁ କେରଳର ଜଣେ ୧୦ ବର୍ଷର ବାଳିକା ସାନଭୀ ନାମରେ ରହିଛି। ସେ ୧ ଘଣ୍ଟାରେ ପ୍ରାୟ ୩୩ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ତେଣୁ ଏହି ରେକର୍ଡ ଅତିକ୍ରମ କରିବା ଲାଗି ସେମାନେ ତାଙ୍କ ଝିଅକୁ ପ୍ରଶିକ୍ଷିତ କରିଥିଲେ।