ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ । ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ସଂଧ୍ୟା ୮ଟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉଦଘାଟନୀ ମ୍ୟାଚରେ ଆଜି ସାମ୍ନାସାମ୍ନି ହେବେ ଭାରତ ଓ ଆମେରିକା।ଗ୍ରୁପ ‘ଏ’ ରେ ଭାରତ ସହିତ ଆମେରିକା, ବ୍ରାଜିଲ, ଏବଂ ମରକ୍କୋ ରହିଛନ୍ତି ।
ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷିକା ଥୋମାସ ଡେନରେବୀ କହିଛନ୍ତି, “ଭାରତୀୟ ମହିଳା ଦଳ ବିଶ୍ବକପ ପାଇଁ ପ୍ରସ୍ତୁତ ଅଛନ୍ତି । ପ୍ରଥମ ଥର ପାଇଁ ୧୭ ବର୍ଷରୁ କମ ମହିଳା ଫୁଟବଲ ଦଳ ବିଶ୍ବକପରେ ଭାଗ ନେବାକୁ ଯାଉଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଗୋଟିଏ ଗୋଲ କରିଲେ ମଧ୍ୟ ଏହା ଭାରତୀୟ ଦଳ ପାଇଁ ବଡ ଉପଲବ୍ଧି ହେବ । ଆମେରିକାର ପଲ୍ଲା ଭାରି ରହିଥାଏ ପାରେ ହେଲେ ଭାରତୀୟ ମହିଳା ମଧ୍ୟ ସେମାନଙ୍କୁ ମାତ୍ ଦେବାକୁ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ରହିଛନ୍ତି । ଫୁଟବଲ ମ୍ୟାଚ ୯୦ରୁ ୯୫ ମିନିଟ ପର୍ଯ୍ୟନ୍ତ ଖେଳାଯାଇଥାଏ । ଆଉ ଏହି ଟାଇମ ମଧ୍ୟରେ ଆମେ ଆମେରିକାକୁ ହରାଇପାରିବା ବୋଲି କହିଛନ୍ତି ଥୋମାସ ଡେନରେବୀ।”
ରିପୋର୍ଟ : ଦୀପା ପ୍ରଧାନ