ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଅନ୍ନଦାତା ଆଜି ଭୋକ ଉପାସରେ ରହି କରିବେ ହରତାଳ । କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୯ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ଲକ୍ଷ ଲକ୍ଷ କୃଷକ । ସରକାର ବୈଠକ ଉପରେ ବୈଠକ ଡକାଇ ଚାଲିଥିଲେ ମଧ୍ୟ ଏ ଯାଏଁ କୌଣସି ନିଷ୍କର୍ସ ବାହାରି ପାରି ନାହିଁ । ତେବେ ଆଜି ଲକ୍ଷ ଲକ୍ଷ ଚାଷୀ ସିଂଘୁ ସୀମାରେ ସକାଳ ୮ ରୁ ସନ୍ଧ୍ୟା ୫ ଟା ଯାଏଁ ଉପବାସରେ ରହି ହରତାଳ କରିବେ ବୋଲି ପୂର୍ବରୁ ସରକାରଙ୍କୁ ଜଣାଇ ଦେଇଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଚାଷୀମାନଙ୍କୁ ସମର୍ଥନ କରିବା ଉଦ୍ଦେଶ୍ୟରେ ସେ ମଧ୍ୟ ଉପବାସରେ ରହିବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସମେତ ଅନେକ ଆପ୍ କର୍ମଚାରୀ ମଧ୍ୟ କୃଷକଙ୍କ ସହ ଉପବାସରେ ରହି ଆନ୍ଦୋଳକୁ ସମର୍ଥନ କରିବେ ।
ନୂତନ କୃଷି ଆଇନରେ କେତେକ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ ମଧ୍ୟ କୃଷକ ସଂଗଠନ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି । ସରକାର ଏହି ଆଇନକୁ ସମ୍ପୁର୍ଣ୍ଣ ପ୍ରତ୍ୟାହାର ନ କରିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି କୃଷକ ସଂଗଠନର ନେତାମାନେ ।