ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଥିବା ଏକ ପ୍ଲାଟଫର୍ମରେ ୩୦ ବର୍ଷ ବୟସ୍କା ମହିଳାଙ୍କୁ ଗ୍ୟାଙ୍ଗ ରେପ୍ ଘଟଣାରେ ଚାରିଜଣ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏହି ସୂଚନା ଦେଇଛନ୍ତି ପୋଲିସ ।
ପୋଲିସ କହିଛି ଯେ ଏହି ଚାରି ଅଭିଯୁକ୍ତ ରେଳବାଇର ବୈଦ୍ୟୁତିକ ବିଭାଗର କର୍ମଚାରୀ। ଗୁରୁବାର ବିଳମ୍ବିତ ରାତିରେ ପ୍ଲାଟଫର୍ମରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ମହିଳାଙ୍କୁ ବଳାତ୍କାର କରିଥିବା ବେଳେ ଅନ୍ୟମାନେ ବାହାରେ ଜଗି ରହିଥିଲେ।
ଅଭିଯୁକ୍ତମାନେ ହେଉଛନ୍ତି ୩୫ ବର୍ଷିୟ ସତୀଶ କୁମାର, ୩୮ ବର୍ଷିୟ ବିନୋଦ କୁମାର, ୩୩ବର୍ଷିୟ ମଙ୍ଗଲ ଚାନ୍ଦ ଏବଂ ୩୭ବର୍ଷିୟ ଜଗଦୀଶ ଚାନ୍ଦ। ରେଲୱେ ଡିସିପି ହରେନ୍ଦ୍ର ସିଂଙ୍କ ଅନୁଯାୟୀ, ମହିଳା ଜଣକ ସକାଳ ପ୍ରାୟ ୩.୨୭ ରେ ପୋଲିସ ଷ୍ଟେସନକୁ ଫୋନ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୋଲିସ ତୁରନ୍ତ ଷ୍ଟେସନକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ।
ମହିଳା ଜଣକ ପୋଲିସକୁ କହିଛନ୍ତି ଯେ ସେ ହରିୟାଣାର ଫରିଦାବାଦରେ ରୁହନ୍ତି। ସେ ପ୍ରାୟ ଦୁଇ ବର୍ଷ ପୂର୍ବେ ସ୍ୱାମୀଙ୍କଠାରୁ ଅଲଗା ହୋଇ କାମ ଖୋଜୁଥିଲେ। ସେ ଜଣେ ଅଭିଯୁକ୍ତ ସତୀଶଙ୍କୁ ଜଣେ ବନ୍ଧୁଙ୍କ ସହ ସାକ୍ଷାତ କରିଥିଲେ ଏବଂ ସେ ତାଙ୍କୁ ରେଳବାଇରେ ଚାକିରି କରିବାକୁ ପ୍ରତିଶୃତି ଦେଇଥିଲେ ବୋଲି ମହିଳା ପୋଲିସକୁ କହିଛନ୍ତି।ଗୁରୁବାର ଦିନ ସତୀଶ ତାଙ୍କୁ ଡାକି ତାଙ୍କ ନୂଆ ଘରେ ପୁଅର ଜନ୍ମଦିନ ଭୋଜି ପାଇଁ ନିମନ୍ତ୍ରଣ କରିଥିଲେ। ରାତି ପ୍ରାୟ ୧୦.୩୦ ସମୟରେ ମହିଳା କିର୍ତ୍ତୀ ନଗର ମେଟ୍ରୋ ଷ୍ଟେସନରେ ସତୀଶଙ୍କୁ ଭେଟିଥିଲେ। ଏହା ପରେ ସେ ତାଙ୍କୁ ନୂଆଦିଲ୍ଲୀ ରେଳ ଷ୍ଟେସନକୁ ନେଇଥିଲେ ଯେଉଁଠାରେ ଅନ୍ୟ ତିନି ଅଭିଯୁକ୍ତ ସେମାନଙ୍କୁ ଭେଟିଥିଲେ ବୋଲି ସେ ପୋଲିସକୁ କହିଛନ୍ତି। ଏହା ପରେ ସେମାନେ ତାଙ୍କୁ ଗ୍ୟାଙ୍ଗ ରେପ କରିଥିଲେ। ସୂଚନାମୁତାବକ ମହିଳାଙ୍କ କଲ୍ ହେବାର ଦୁଇ ଘଣ୍ଟା ମଧ୍ୟରେ ପୋଲିସ ଏହି ଚାରି ଅଭିଯୁକ୍ତଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି। ସେମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଯାହା ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲା ବୋଲି ରେଳବାଇ କହିଛି।