ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଆଜି ଅପରାହ୍ନରେ ବିଧାନସଭା ପରିଦର୍ଶନ କରିଥିଲେ । ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟର ସମୀକ୍ଷା ସହ ବିଧାନସଭା ଗୃହର ୫୪ ନଂ ପ୍ରକୋଷ୍ଠରେ ହୋଇଥିବା ଭୋଟିଂ କମ୍ପାଟମେଣ୍ଟ ଓ ଭୋଟରଙ୍କ ପ୍ରତୀକ୍ଷା କକ୍ଷ , ଗଣମାଧ୍ୟମ ପ୍ରତିନିଧ୍ଵଙ୍କ ଖବର ସଂଗ୍ରହ ସ୍ଥାନ ପରିଦର୍ଶନ କରିଥିଲେ । ରାଷ୍ଟ୍ରପତି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ପୁଲିଙ୍ଗ ଅଧିକାରୀ , ସୁରକ୍ଷା ଅଧିକାରୀ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀଙ୍କ ସହ ଆଲୋଚନା କରି ଶାନ୍ତିଶୃଙ୍ଖଳା ସହିତ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଥିଲେ । ରାଷ୍ଟ୍ରପତି ନିର୍ବାଚନରେ ଭୋଟରମାନେ ଯେପରି ସୁରୁଖୁରୁରେ ମତଦାନ କରିପାରିବେ ସେ ନେଇ ସେ ପ୍ରତ୍ୟେକ ପୁଲିଙ୍ଗ ଅଧିକାରୀଙ୍କର କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ରିଟଣ୍ଡିଂ ଅଧିକାରୀ ଶ୍ରୀ ଆର୍ . ରଘୁରାମ ଆୟାର ଓ ଶ୍ରୀ ଗଙ୍ଗାଧର ମଲ୍ଲିକ , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର , ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧୁକାରୀ ପ୍ରମୋଦ କୁମାର ସାହୁ , ସମସ୍ତ ପୁଲିଙ୍ଗ ଅଧିକାରୀ , ବିଧାନସଭା ସୁରକ୍ଷା ଅଧିକାରୀ ଶ୍ରୀ ଗୋପାଳ କୃଷ୍ଣ ବେହେରା , ଅତିରିକ୍ତ ଏସ୍ପି , ସହକାରୀ ମାର୍ଶାଲଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।