ସନଷ୍ଟାର ଟିଭି ବ୍ୟୁରୋ
ପୋଲସରା: ପିଣ୍ଡିରିପଡା ଗ୍ରାମର ଜଣେ ଯୁବକଙ୍କୁ ଗୁଜୁରାଟ ପୋଲିସ ଗିରଫ କରିଛି । ପୋଲସରା ଥାନରେ ପହଞ୍ଚିବା ପରେ ଗୁଜୁରାଟ ପୋଲିସ ଏକ ନାଟକୀୟ ଢଙ୍ଗରେ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଯୁବକ ଜଣକ ସୁରତରେ ହୋଇଥିବା ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଜଣା ପଡିଥିଲା ।। ସଂପୃକ୍ତ ଯୁବକ ଜଣକ ପାଣ୍ଡିରିପଡ଼ା ଗ୍ରାମର ରମେଶ ସେଠୀଙ୍କ ପୁଅ ସୁମନ୍ତ ସେଠୀ । ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ସୂଚନାମୁତାବକ, ଗତ ଦୁଇଦିନ ପୂର୍ବରୁ ସୁମନ୍ତ ସେଠୀ ନିଜ ଘରେ ବୈଦୁତିକ ଆସବାବ ପତ୍ରକୁ ପୋଡ଼ିଦେଇଥିଲା । ଅଧିକ କିଛି ଅଘଟଣ ଘଟିବା ପୁର୍ବରୁ ପରିବାର ଲୋକେ ପାଣ୍ଡିରିପଡ଼ା ସ୍ଥିତ ପୋଲିସଙ୍କୁ ଖବର ଦେଇଥିଲେ । ପୋଲସରା ଥାନା ପୋଲିସ ପହଞ୍ଚି ସୁମନ୍ତକୁ ଆଣି ପୋଲସରା ଥାନାରେ ଅଟକ ରଖିଥିଲା । ପୋଲିସ ଜେରା ବେଳେ ଗୁଜୁରାଟର ସୁରଥ ଗ୍ରାମୀଣ କୁସୁମ୍ବା ପୋଲିସ ଥାନା ଅଞ୍ଚଳରେ ଗତବର୍ଷ ଘଟିଥିବା ଏକ ହତ୍ୟାକାଣ୍ଡ ରେ ସୁମନ୍ତ ସଂପୃକ୍ତ ଥିବା ଏକ ଭିଡିଓରୁ ଜଣାପଡିଥିଲା । ଏନେଇ ହତ୍ୟା ଘଟଣା ସମ୍ପର୍କରେ ପୋଲିସ ପଚାରିବାରୁ ସେ ସଂପୃକ୍ତ ଥିବା ସ୍ବୀକାର କରିଥିଲା । ଏହାପରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଗଞ୍ଜାମ ଏସପିଙ୍କୁ ସମ୍ପୃକ୍ତ ଭିଡିଓ ଓ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଗଞ୍ଜାମ ଏସପି ଏହି ଘଟଣାକୁ ନେଇ ସୁରତ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ସୁରଥ ଗ୍ରାମୀଣ କୁସୁମ୍ବା ପୋଲିସ ଥାନା ଅଞ୍ଚଳରେ ତା ୧୫/୦୯/୨୧ ମସିହାରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଥିଲା । ଏନେଇ କୁସୁମ୍ବା ଥାନାରେ ୧୧୦୨/୨୧ ନମ୍ବରରେ ଏକ କେଶ୍ ରୁଜୁ ହୋଇଥଲା । ଗଞ୍ଜାମ ପୋଲିସର ସୂଚନା କ୍ରମେ କୁସୁମ୍ବା ଥାନା ଏସ୍ଆଇ ଏ.ଏଚ୍. ପଟେଲଙ୍କ ନେତୃତ୍ବରେ ଏକ ପୋଲିସ୍ ଟିମ୍ ପୋଲସରା ଥାନାରେ ପହଞ୍ଚି ଥିଲେ । ହତ୍ୟା ଘଟଣାର ତଥ୍ୟ ଓ ପ୍ରମାଣ ଆଧାରରେ ସୁମନ୍ତଙ୍କୁ ଗିରଫ କରି ନେଇଯାଇଛନ୍ତି । ଉକ୍ତ ହତ୍ୟା ଘଟଣାରେ ସୁମନ୍ତଙ୍କ ନାମ ସୁନିଲ୍ ସେଠୀ ଥିବା ସୂଚନା ମିଳିଛି । (ରିପୋର୍ଟ: ବସନ୍ତ କୁମାର ସାହୁ)