ସନଷ୍ଟାର ଟିଭି ବ୍ୟୁରୋ
ପୁରୀ:ଆସନ୍ତା ଜୁଲାଇ୧ ତାରିଖରେ ମହାପ୍ରଭୁଙ୍କର ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ମତବ୍ୟକ୍ତ କରିଛନ୍ତି । ସୋମବାର ପୂର୍ବାହ୍ନରେ ପୁରୀସ୍ଥିତ ଟାଉନ୍ହଲ୍ ପରିସରରେ ଡିଜିପି ଶ୍ରୀ ବଂସଲଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକଅନୁଷ୍ଠିତ ହୋଇଥିଲା ।ଗତ ଦୁଇବର୍ଷ କରୋନା ପାଇଁ ବିନା ଶ୍ରଦ୍ଧାଳୁ ମାନଙ୍କ ଭିତରେ ରଥଯାତ୍ରା ହେଉଥିବାରୁ ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି ।ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ବଂସଲ ଗୁରୁତ୍ୱାରୋପ କରିଛନ୍ତି । ଏହାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ରଥଯାତ୍ରାର ସୁପରିଚାଳନା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଇଛି ବୋଲି ସୂଚନା ଦେଇଛନ୍ତି । ରଥଯାତ୍ରା ଡ୍ୟୁଟିରେ ଅଭିଜ୍ଞତା ସମ୍ପନ୍ନ ପୋଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ତିନି ରଥ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅଘଟଣ ମୁକ୍ତ ରଥଟଣା ଏବଂ ରଥଯାତ୍ରା ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ଡିଜିପି କହିଛନ୍ତି ।
ଏହା ସହିତ ପୁରୀ ସହରରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଟ୍ରାଫିକ୍ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ସହରକୁ ମୋଟ ୧୦ଟି ଜୋନ୍ ଓ ୨୯ଟି ସେକ୍ଟର୍ରେ ଭାଗ କରାଯାଇଛି । ଏହାସହ ଦୁଇ ଚକିଆ, ଚାରି ଚକିଆ ଯାନ ପାର୍କିଂ ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବହୁତ ଗୁରୁତ୍ବ ସହ ଗ୍ରହଣ କରାଯାଇଛି। କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବ୍ୟକ୍ତି ନଜରକୁ ଆସିଲେ ବିଳମ୍ବ ନ କରି ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି ।
ଆଜିର ଏହି ସମୀକ୍ଷା ବୈଠକରେ ପ୍ରଥମେ ଆଇଜି(କେନ୍ଦ୍ରାଂଚଳ) ନରସିଂହ ଭୋଳ ଡିଜିପି ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ । ଉକ୍ତ ବୈଠକରେ ଡିଆଇଜି(ଏସ୍ଟିଫ୍) ଜୟ ନାରାୟଣ ପଙ୍କଜ, ଡିଆଇଜି(ଏସ୍ଆଇଡବ୍ଲ୍ୟୁ) ଅନିରୁଦ୍ଧ କୁମାର ସିଂ, ଡିଆଇଜି(ଗୁଇନ୍ଦା) ଅନୁପ କୁମାର ସାହୁ, ଭୁବନେଶ୍ୱର-କଟକ କମିଶନରେଟ ପୋଲିସ୍ ଅତିରିକ୍ତ ସିପି ଡ. ଉମାଶଙ୍କର ଦାଶ, ପୁରୀ ଏସ୍ପି କନୱର୍ ବିଶାଲ ସିଂଙ୍କ ସମେତ ବହୁବରିଷ୍ଠ ପୋଲିସ୍ ଅଧିକାରୀ ଉପସ୍ଥିତ ଥିଲେ ।