ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗତ ୧୭ ତାରିଖ ଦିନ ଆଇଏସ ସ୍ତରରେ ବଡଧରଣ ଅଦଳବଦଳ କରାଯାଇଥିଲା। ଯେଉଁଥିରେ ଭୁବନେଶ୍ବର ମହାନଗର ନିଗମ କମିଶନର ଭାବେ କୁଲାଙ୍ଗେ ବିଜୟ ଅମୃତାଙ୍କୁ ଦାଇତ୍ବ ଦିଆଯାଇଥିଲା। ଏହା ପୂର୍ବରୁ କୁଲାଙ୍ଗେ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ସମ୍ଭାଳୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀ ବୋଲାଉଥିବା ଗଞ୍ଜାମରେ ଜିଲ୍ଲାପାଳ ଭାବେ ବିଜୟ ଅମୃତ କୁଳାଙ୍ଗେ ନିଜ ଦାୟିତ୍ୱ ସୁଚାରୁରୂପେ ସମ୍ପାଦନା କରିଥିଲେ ଯାହାଫଳ ସ୍ବରୁପ ତାଙ୍କୁ ଭୁବନେଶ୍ବର ମହାନଗର ନିଗମ କମିଶନର ଭଳି ଏକ ମୁଖ୍ୟଦାଇତ୍ବ ଦିଆଯାଇଥିଲା।
ତେବେ ଆଜି ରାଜ୍ୟର ବୃହତମ ସ୍ବାୟତ ସଂସ୍ଥା ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ରେ ନୂଆ କମିଶନର ଭାବେ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇଛନ୍ତି। ସୂଚନାମୁତାବକ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ସେ ବିଏମ୍ସି କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଏମ୍ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ସ୍ଵାଗତ ଜଣାଇଥିଲେ । ପୂର୍ବରୁ କମିଶନର ଥିବା ସଞ୍ଜୟ କୁମାର ସିଂଙ୍କ ଠାରୁ ସେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେପଟେ ଶ୍ରୀ ସଂଜୟ କୁମାର ସିଂ ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି ।